ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ୍ ଯୋଗୁ ସିବିଏସ୍ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ସିବିଏସ୍ଇ ବୋର୍ଡର ବିଶ୍ୱସନୀୟତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣିଥରେ ପରୀକ୍ଷା ହେବା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ବଢ଼ିବ । ସେମାନଙ୍କର ଭବିଷ୍ୟତକୁ ମଧ୍ୟ ଅନ୍ଧକାର ଭିତରକୁ ଠେଲି ଦିଆଯାଉଛି । ସିବିଏସ୍ଇ ବୋର୍ଡକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବା ଦରକାର । କୋମଳମତି ପିଲାମାନଙ୍କ ଭବିଷ୍ୟତ ସହ ସିବିଏସ୍ଇ ବୋର୍ଡ ଖେଳ ନଖେଳୁ । ରାଜ୍ୟ ସରକାର ମଧ୍ୟ ଏନେଇ ନିଜର ଉଦବେଗ କେନ୍ଦ୍ର ସରକାରଙ୍କ ପାଖରେ ବ୍ୟକ୍ତ କରିବାକୁ ସେ ଦାବି କରିଥିଲେ । ଏହା ସହିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶ୍ରୀ ଦାସବର୍ମା ଦାବି କରିଥିଲେ । ସେହିପରି ବିଜେଡି ସଦସ୍ୟ ସମୀର ରଞ୍ଜନ ଦାସ କହିଥିଲେ ଯେ କେନ୍ଦ୍ର ସରକାର କୁହନ୍ତି ଯେଡ଼େ ନୁହଁନ୍ତି ସେଡ଼େ । ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍’ କରି ପିଲାମାନଙ୍କୁ ପରୀକ୍ଷା ଉପରେ ଟିପସ ଦେଉଥିଲେ । କିନ୍ତୁ ଏବେ ସେହି ଟିପସ ଗଲା କୁଆଡ଼େ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।


