ଭୁବନେଶ୍ୱର : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ବିଜେଡି ସମର୍ଥନ କରେ ନାହିଁ ବୋଲି ଦଳର ମୁଖପାତ୍ର ତଥା ସାଂସଦ ପ୍ରଶାନ୍ତ ନନ୍ଦ ସ୍ପଷ୍ଟ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଛନ୍ତି ଯେ, ଜଷ୍ଟିସ୍ ମିଶ୍ରଙ୍କ ପ୍ରତି ବିଜେଡିର ଯଥେଷ୍ଟ ସମ୍ମାନ ରହିଛି ଓ ରହିବ ମଧ୍ୟ । ବିଜେଡି ଜଷ୍ଟିସ୍ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରୁଛି ବୋଲି ସୋଶାଲ ମିଡିଆରେ ପ୍ରଚାର କରାଯାଉଛି । ଯାହାକି ସତ୍ୟ ନୁହେଁ । ଏଥିରେ ବିଜେଡିର କୌଣସି ସମ୍ପର୍କ ନାହିଁ । ଏଭଳି ଷଡ଼ଯନ୍ତ୍ରକାରୀ ରାଜନୀତିକ ଦଳର ଏହା ହେଉଛି ହୀନ ଉଦ୍ୟମ । ଯାହାକୁ ବିଜେଡି କଡ଼ା ଭାଷାରେ ନିନ୍ଦା କରୁଛି । ଆବଶ୍ୟକ ପଡ଼ିଲେ ଏନେଇ ବିଜେଡି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ । ଏହି ଗୁଜବ ପ୍ରଚାରକାରୀମାନେ ନୀଚ୍ଚମନା ଓ ସଂକୀର୍ଣ୍ଣ ରାଜନୈତିକ ଖେଳ ଖେଳିବାକୁ ଏପରି କରିଛନ୍ତି ବୋଲି ଶ୍ରୀ ନନ୍ଦ କହିଛନ୍ତି ।


