ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଜାତୀୟସ୍ତରଠୁ ଉନ୍ନତ । ମ୍ୟାଲେରିଆ ମୁକାବିଲା ହେଉ ଅବା ହସ୍ପିଟାଲରେ ସନ୍ତାନ ପ୍ରସବର ହାର, ଶିଶୁ ମୃତ୍ୟୁ ହାର ହ୍ରାସ, ଅବାପୁଣି ଟୀକାକରଣ ସବୁ କ୍ଷେତ୍ରରେ ଜାତୀୟସ୍ତରଠୁ ଓଡ଼ିଶା ଆଗରେ ରହିଛି । ସେହିପରି ଦ୍ୱାରଦେଶରେ ମାଗଣା ଆଇନ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମଧୁବାବୁ ଆଇନ ସହାୟତା ଯୋଜନା କାର୍ଯ୍ୟକାରୀ ହେଉଛି । ଏପର୍ଯ୍ୟନ୍ତ ୩୩୭ଟି ପଞ୍ଚାୟତରେ ଆଇନ ସହାୟକ ଓକିଲମାନଙ୍କୁ ନିୟୋଜିତ କରାଯାଇସାରିଲାଣି ଓ ଅବଶିଷ୍ଟ ପଞ୍ଚାୟତରେ ଓକିଲଙ୍କୁ ନିୟୋଜିତ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ଚତୁର୍ଥ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମନ୍ତ୍ରୀ ଶ୍ରୀ ଜେନାଙ୍କ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ସମୀକ୍ଷା କରିଥିଲେ । ଏହି ଦୁଇ ବିଭାଗର ସଫଳତା ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜେନା କହିଥିଲେ ଯେ, ୨୦୧୭ ଅକ୍ଟୋବର ମାସଠୁ ଏପର୍ଯ୍ୟନ୍ତ ରାଜ୍ୟରେ ଜଣେ ବି କେହି ମ୍ୟାଲେରିଆ ଯୋଗୁ ପ୍ରାଣ ହରାଇନାହାନ୍ତି । ୨୦୧୮ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଗତବର୍ଷର ଏହି ଅବଧି ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଛି । ୨୦୧୭ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୭୧,୭୬୫ଜଣ ମ୍ୟାଲେରିଆ ଆକ୍ରାନ୍ତ ଥିବାବେଳେ ୨୦୧୮ର ଏହି ଅବଧିରେ ମାତ୍ର ୧୪,୫୬୬ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦମନ କାର୍ଯ୍ୟକ୍ରମରେ ରାଜ୍ୟରେ ମୋଟ ୧.୧୩କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି । ସେହିପରି ଜାତୀୟସ୍ତରରେ ହସ୍ପିଟାଲରେ ଶିଶୁ ପ୍ରସବ ହାର ୭୮.୯% ଥିବାବେଳେ ଓଡ଼ିଶାରେ ଏହା ୮୫.୪% । ଯାହାକି ଦେଶର ଅନ୍ୟ ବିକଶିତ ରାଜ୍ୟ ଅପେକ୍ଷା ଭଲ ସ୍ଥିତିରେ ରହିଛି । ସେହିପରି ଟୀକାକରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ରେକର୍ଡ ଭଲ । ଶିଶୁ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି । ରାଜ୍ୟରେ ଗତବର୍ଷକ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୧ଟି ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଗତବର୍ଷ ୨ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବାବେଳେ ଚଳିତବର୍ଷ ଆଉ ୨ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ବିନା ମୂଲ୍ୟରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ସର୍ବାଧିକ ୨୨୦ଟି ନୂଆ କୋର୍ଟ ସ୍ଥାପନ କରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ୩୧୪ଟି ବ୍ଲକ୍ରେ ଜେଏମ୍ଏଫ୍ସି କୋର୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ଏପର୍ଯ୍ୟନ୍ତ ୧୯୯ଟି ବ୍ଲକ୍ରେ ଏହି କୋର୍ଟ ପ୍ରତିଷ୍ଠା ହୋଇସାରିଛି । ଗତ ୪ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କୋର୍ଟରେ ମୋଟ ୧୭ଲକ୍ଷ ୧୨ହଜାର ମାମଲାର ଫଏସଲା ହୋଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।


