ଭୁବନେଶ୍ୱର, (ଓଡ଼ିଶା ୱେୟାର):କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇଛି। ହାଇଦରକୁ ଫେରାର ହେବାର ଇତିମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ହେଲେ ଏପର୍ୟ୍ୟନ୍ତ ତା’ର ଟେର ପାଉନି ପୁଲିସ୍। ଏହାରି ଭିତରେ ଆଜି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରିଛି। କିନ୍ତୁ ଏଯାଏ ହାଇଦର କେଉଁଠି, ତା’ର ପତ୍ତା ମିଳୁନି। ପ୍ରଶ୍ନ ଉଠୁଛି ଯେ କଡ଼ା ସୁରକ୍ଷା ଭିତରେ ହାଇଦର କେମିତି ଚମ୍ପଟ ମାରିଲା। ଏହା ପଛରେ କିଛି କ୍ଷଡ଼ଯନ୍ତ୍ର ରହିଛି କି?
ହାଇଦରର ସମ୍ପର୍କୀୟ ହିଁ ତା’ର ଫେରାର୍ ପାଇଁ ରଚିଥିଲେ ବିରାଟ ଷଡଯନ୍ତ୍ର। ଏମାନଙ୍କ ମଧ୍ୟରେ ପୁଅ, ଭାଇ, ଶଳା ଓ ପୁତୁରାଙ୍କ ସମେତ ଆଉ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ୍ ଥିବା ଜଣାପଡ଼ିଛି। ଏ ନେଇ ଆଜି ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ସ୍ପଷ୍ଟ ହୋଇଛି। ଶନିବାର ଏସସିବି ସର୍ଜରୀ ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର-୫ରେ ସୁରକ୍ଷା ଦାୟିତ୍ୱରେ ଥିବା ଖୋଦ୍ ପୁଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଏଫଆଇଆରରେ ଲେଖିଛନ୍ତି, ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୁଲିସ ଏସକର୍ଟରେ କଟକ ଅଣାଯାଇଥିଲା। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହେଉଥିଲେ।


