ଭୁବନେଶ୍ୱର (ଓଡ଼ିଶା ୱେୟାର): ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହୋଇଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀମତୀ ପଣ୍ଡା କହିଛନ୍ତି ଯେ, ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ମୁଁ କାର୍ୟ୍ୟ କରିଆସୁଛି। ରାଜ୍ୟରେ ୨୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଏବେ ଆମକୁ ହଇରାଣ କରାଯାଉଥିବା ମୁଁ ଅନୁଭବ କରୁଛି। ଓଟିଭି ଏବେ ବି ରାଜ୍ୟର ସବୁଠାରୁ ଅଧିକ ଦର୍ଶକ ଦେଖୁଥିବା ନ୍ୟୁଜ୍ ଚ୍ୟାନେଲ୍। ଏହାସତ୍ତ୍ୱେ ଓଟିଭିକୁ ହଇରାଣ କରାଯାଉଛି। ନାନା ପ୍ରତିବନ୍ଧକ ସୃଷ୍ଟି କରାଯିବା ସହ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଛି।
ଅନ୍ୟପକ୍ଷରେ ଶୁଣାଣି ପରେ ସ୍ୱାଧିକାର କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି- “ଏହି ପ୍ରସଙ୍ଗରେ ଯାଞ୍ଚ ଚାଲିଛି। ପୁଣି ଆଉ ଏକ ତାରିଖରେ ଏନେଇ ଶୁଣାଣି କରାଯିବ।”
ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ।


