ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ନବୀନ
ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତିକୁ ବିଜେଡି ରାଜ୍ୟବ୍ୟାପୀ ୧୦ଦିନ ଧରି ପାଳନ କରିବ । ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁସ୍ତରର ନେତାମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଆଜି ଏନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଆଉ ମାତ୍ର ଦୁଇ ଦିନ ପରେ ଓଡ଼ିଶା ଦିବସ ପଡୁଥିବାରୁ ପ୍ରତ୍ୟେକ ଓଡ଼ିଶାବାସୀ ଗର୍ବର ସହ ଏହାକୁ ପାଳନ କରିବା ଉଚିତ୍ । ଏହି ଅବସରରେ ଏପ୍ରିଲ ୧ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ୧୦ଦିନ ବ୍ୟାପୀ ବିଜୁ ଜନତା ଦଳ ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତିକୁ ପାଳନ କରିବ । ସ୍ୱତନ୍ତ୍ର ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣୀମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ସହ ସାଂଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବ୍ଲକ ଓ ନଗର ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କରିବା ଲାଗି ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ପର୍ଯ୍ୟବେକ୍ଷକ, ନଗର ଓ ବ୍ଲକ ସଭାପତି, ଛାମୁଆ ସଂଗଠନଗୁଡିକର ରାଜ୍ୟ ସଭାପତି ଓ ଆବାହକମାନଙ୍କୁ ଏହି ମର୍ମରେ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବିକାଶ ପାଇଁ ବିଜେଡି ଜନସାଧାରଣଙ୍କ ସଦିଚ୍ଛାରେ ବିଗତ ୨ ଦଶନ୍ଧି ଧରି ତାହାର ଆଭିମୁଖ୍ୟ ରଖି ଆସିଛି ଏବଂ ୨୦୦୦ ମସିହା ଠାରୁ ବିଜେଡି ସରକାର ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସାଙ୍ଗକୁ ଅଭିବୃଦ୍ଧି ହାସଲ କରିଚାଲିଛି । ଭିତ୍ତିଭୂମି, ସାମାଜିକ କ୍ଷେତ୍ର, ଭାଷା, ସଂସ୍କୃତି ଆଦି କ୍ଷେତ୍ରରେ ସାମଗ୍ରିକ ଭାବେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବା ଲକ୍ଷ୍ୟ ନେଇ ନୂତନ ସଫଳ ପଦକ୍ଷେପ ନେଇ ଚାଲିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହାର ବିକାଶ ଯାତ୍ରାକୁ ଶହେବର୍ଷ ପୂର୍ତ୍ତି (୨୦୩୬) ଯାଏଁ ଆଗେଇ ନେଇ ଏକ ସ୍ୱାଭିମାନୀ ଓ ସମୃଦ୍ଧଶାଳୀ ବିକଶିତ ଓଡ଼ିଶା ପାଇଁ ତା’ର ଅଭିଳଷିତ ଲକ୍ଷ୍ୟ ପଥରେ ଆମେ ଅଗ୍ରସର ହେଉଛେ । ସେଥିଲାଗି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ନିଆଯାଉଛି । ରାଜ୍ୟ ଜନସାଧାରଣଙ୍କ ଆଶା ଭରସାର ଦଳ ଭାବେ ବିଜେଡି ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ତୃଣମୂଳସ୍ତରରେ ସାମିଲ କରି ସାଂଗଠନିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ଶ୍ରୀ ମିଶ୍ର କହିଛନ୍ତି ।


