ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ୧୨୧୪କୋଟି ଟଙ୍କାର ୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୮ଟି ପ୍ରକଳ୍ପକୁ ଅନୁମୋଦନ ଦେବା ସହ ୨୪୨୭ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ଆଜି ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ମ୍ୟାନୁଫାକଚରିଂ, ପ୍ଲାଷ୍ଟିକ, ଫୁଡ୍ ପ୍ରୋସେସିଂ ଓ ହସ୍ପିଟାଲିଟି କ୍ଷେତ୍ର ରହିଛି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପ ମଧ୍ୟରେ ରାଇରଙ୍ଗପୁରରେ ୨୫୬କୋଟି ଟଙ୍କା ବ୍ୟୟ କରି ଏନର୍ଜାଇ ମିନେରାଲ ପ୍ରାଃ ଲିଃ ବାର୍ଷିକ ୨.୭୫ ମିଲିୟନ ଟନ୍ ଉତ୍ପାଦନକ୍ଷମତା ବିଶିଷ୍ଟ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ ଓ ବାର୍ଷିକ ୧.୨ ମିଲିୟନ ଟନ୍ କ୍ଷମତାର ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ୨୭୪ଜଣ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ସେହିପରି ଭୁବନେଶ୍ୱରର ଡୁମଡୁମାଠାରେ ଆଇଟିସି ଲିଃ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୧୪୧.୧୪କୋଟି ଟଙ୍କା ବ୍ୟୟ ହେବ ଓ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଫାଲକନ ରିଏଲଇଷ୍ଟେଟ୍ ଲିଃ ଭୁବନେଶ୍ୱରରେ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ । ଏଥିରେ କମ୍ପାନୀ ୧୨୦.୨୬କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୯୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ନିଜର ବିସ୍କୁଟ,କେକ ଓ ଅନ୍ୟ ବେକେରୀ ଉତ୍ପାଦର ବାର୍ଷିକ କ୍ଷମତାକୁ ସମ୍ପ୍ରସାରଣ କରି ଆଉ ବାର୍ଷିକ ୩୦ହଜାର ମେଟ୍ରିକ ଟନକୁ ବୃଦ୍ଧି କରିବା ନିମନ୍ତେ ୯୩.୬୦କୋଟି ଟଙ୍କା ଖର୍ଚ୍ଚ କରିବ । ଏଥିରେ ୩୫୦ଜଣ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଇଣ୍ଡାଲକ ସ୍ପିରିଟ୍ କମ୍ପାନୀ ଦେବଗଡ଼ଠାରେ ୨୧୫.୧୫କୋଟି ଟଙ୍କା ବ୍ୟୟରେ ୨୦୦କେଏଲପିଡି କ୍ଷମତାବିଶିଷ୍ଟ ଶସ୍ୟଭିତ୍ତିଭ ଡିଷ୍ଟ୍ରିଲାରୀ ପ୍ଲାଂଟ ସ୍ଥାପନ କରିବ । ଏଥିରେ ୨୪୯ଜଣ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।
ସେହିପରି ମାସ୍ ସ୍ପିରିଟସ୍ ପ୍ରାଃ ଲିମିଟେଡ୍ କମ୍ପାନୀ ଝାରସୁଗୁଡ଼ାରେ ଶସ୍ୟଭିତ୍ତିକ ଡିଷ୍ଟିଲେରୀ ଓ ବଟଲିଂ କାରଖାନା ୨୦୪.୬୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବ । ଏଥିରେ ୧୮୫ଜଣଙ୍କୁ ନିଯୁକ୍ତି ମିଳିବ । ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ୧୨୩.୨୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ କରିବ । ଏଥିରେ ୨୯୯କୋଟି ଟଙ୍କା ବିନିଯୋଗ ହେବ । ସେହିପରି ପୁରବ ପ୍ୟାକେଜିଂ ପ୍ରାଃ ଲିମିଟେଡ୍ କମ୍ପାନୀ ୬୦କୋଟି ଟଙ୍କା ବ୍ୟୟରେ ପାରାଦୀପରେ ପଲି ପ୍ରପେଇନ୍ କାରଖାନା କରିବ । ଏଥିଷର ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।


