୧୨ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସପ୍ତାହର ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଶର ୧୨ଟି ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ସପ୍ତାହର ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ସହିତ କେତେକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସୀମାକୁ ଲାଗିଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ବି ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ, ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ତତ୍କାଳ ପ୍ରଭାବରୁ ବିମାନ ବନ୍ଦର ଓ ରେଳ ଷ୍ଟେସନଗୁଡ଼ିକରେ ଏଭଳି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମହାପାତ୍ର ଆଜି ଲେଖିଥିବା ଚିଠିକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଇ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ମାମଲା ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବିଶେଷକରି ୧୨ଟି ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା,ପଶ୍ଚିମବଙ୍ଗ, ପଞ୍ଜାବ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ସମସ୍ତ ବ୍ୟକ୍ତିମାନଙ୍କୁ ବିମାନ ବନ୍ଦର ଓ ରେଳଷ୍ଟେସନରେ ଅବତରଣ କରିବାବେଳେ ପ୍ରୋଟୋକଲ ଅନୁସାରେ ସ୍କ୍ରିନିଂ କରାଯିବ । ଯେଉଁ ଯାତ୍ରୀମାନଙ୍କର କିଛି ଲକ୍ଷଣ ଦେଖାଯିବ ସେହି ବିମାନବନ୍ଦର କିମ୍ବା ରେଳଷ୍ଟେସନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ସମସ୍ତ ଯାତ୍ରୀ ୭ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ହେବ । ଯଦି ଏହି ଅବଧି ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନେ ଆରଟି-ପିସିଆର ପରୀକ୍ଷା କରିବେ । କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିଲେ ସେମାନଙ୍କୁ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଚିକିତ୍ସା କରାଯିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ମିଶନ ମୋଡରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ ।
ଏସବୁ ପାଳନ ଦିଗରେ କୌଣସି ପ୍ରକାରର ଅବହେଳା ରାଜ୍ୟରେ ପୁଣିଥରେ କରୋନା ମହାମାରୀ ସଂକ୍ରମଣକୁ ବୃଦ୍ଧି କରିବ ଓ ବିଗତ ମାସଗୁଡ଼ିକରେ କରାଯାଇଥିବା ସମସ୍ତ ପ୍ରୟାସ ବିଫଳ ହୋଇଯିବ ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।


