ଭୁବନେଶ୍ୱର(ଓଡ଼ିଶା ୱେୟାର): ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ପ୍ରାୟ ୧୩ମାସ ପରେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କୁ ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ଆଜି ଅବସ୍ଥାପିତ କରାଯାଇଛି । ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ହଟାଇ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିଲେ । ସେ ବିନା କାର୍ଯ୍ୟରେ ଘରେ ରହିଥିଲେ ।
ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲ ଦୀର୍ଘ ୩ମାସ ଧରି ଅପେକ୍ଷା କରିବା ପରେ ଆଜି ତାଙ୍କୁ ଜେଲ୍ ଓ କରେକ୍ସନାଲ ସର୍ଭିସ୍ ବିଭାଗର ଆଇଜି ଭାବେ ନିଯୁକ୍ତି ମିଳିଛି । ଗତ ସପ୍ତାହରେ ସେ ଡିଆଇଜିରୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ ।
ସୂଚନାଯୋଗ୍ୟ, ଅଗ୍ନିଶମ ବାହିନୀରେ ଦୁର୍ନୀତିର ଅଭିଯୋଗ ଆଣି ଶ୍ରୀ ଶର୍ମାଙ୍କୁ ଡିଜିପି ପଦରୁ ହଟାଇ ଦିଆଯାଇଥିଲା । ଏହି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା । କିନ୍ତୁ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ଆଖିଦୃଶିଆ ପ୍ରମାଣ ନମିଳିବାପରେ ସରକାର ତାଙ୍କୁ ବାଧ୍ୟ ହୋଇ ନିଯୁକ୍ତି ଦେଇଥିବା ଗୃହ ବିଭାଗ ସୂତ୍ରରୁ ସୂଚନା ମିଳିଛି ।


