ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଆସନ୍ତା ୨୬ତାରିଖରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡି ଚଳିତଥର ନିର୍ବାଚନମଣ୍ଡଳୀସ୍ତରରେ ଯୁବ ଓ ମହିଳା ସମାବେଶ କରିବ ବୋଲି ଜଣାପଡ଼ିଛି । ତେବେ ଏହା ପୂର୍ବରୁ ଦଳର ପରିବର୍ତ୍ତିତ କାର୍ଯ୍ୟକାରିଣୀ ସହ ଛାମୁଆ ସଂଗଠନଗୁଡ଼ିକର ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସର୍ବବୃହତ୍ ଆଂଚଳିକ ଦଳ ଭାବେ କ୍ରମାଗତ ଦୀର୍ଘବର୍ଷ କ୍ଷମତାରେ ରହି ରେକର୍ଡ କରିଥିବା ବିଜେଡି ଏଥର ପୌର, ସମବାୟ ଓ ପଂଚାୟତ ନିର୍ବାଚନ ନିମନ୍ତେ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ । ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କର ୩ଥର ବୈଠକ ବସି ପ୍ରତିଷ୍ଠା ଦିବସ ପାଳନ ସହ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି । ଚଳିତମାସ ୨୦ ଓ ୨୧ ତାରିଖରେ ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ଥିବାବେଳେ ୧୮ତାରିଖରେ ଯୁବ ଓ ୨୩ତାରିଖରେ ଛାତ୍ର ଶାଖାର କାର୍ଯ୍ୟକାରିଣୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଷ୍ଠା ଦିବସକୁ ଗତବର୍ଷ ଭଳି ନିର୍ବାଚନମଣ୍ଡଳୀସ୍ତରୀୟ ପାଳନ କରିବା ଉପରେ ଦଳ ଗୁରୁତ୍ୱ ଦେବା ସହ ରାଜ୍ୟବ୍ୟାପୀ ଯୁବ ଓ ମହିଳା ସମାବେଶର ଆୟୋଜନ କରାଇବ ।
୨୦ ଓ ୨୧ତାରିଖରେ ହେବାକୁ ଥିବା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ କାର୍ଯ୍ୟକ୍ରମମାନ ହାତକୁ ନେବ ବୋଲି ଜଣାପଡ଼ିଛି । ବିଶେଷକରି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱାମୀନାଥନ୍ କମିଟିର ସୁପାରିସକୁ ଲାଗୁ ଦାବି, ମହାନଦୀ-ପୋଲାଭରମ ଭଳି ପୁରୁଣା ପ୍ରସଙ୍ଗ, କୋଇଲା ରୟାଲିଟି ଓ ରେଳବାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାରେ ବିଳମ୍ବ ସହ କେତେକ କେନ୍ଦ୍ରୀୟ ଅବହେଳାକୁ ଏଥର ପ୍ରସଙ୍ଗ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ବିଜେଡି ସରକାର ଦ୍ୱାରା ଚାଲିଥିବା ପ୍ରାୟ ୫୦ରୁ ଅଧିକ ସାମାଜିକ ସୁରକ୍ଷା ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଜୀବିକାନିର୍ବାହ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କରାଇବା ପାଇଁ ଦଳ ପକ୍ଷରୁ ସନ୍ଦେଶ ଦିଆଯିବ । ଏହାସହିତ ମହିଳା ଓ ଚାଷୀ ଭୋଟ ବ୍ୟାଙ୍କକୁ ବାନ୍ଧି ରଖିବା ନିମନ୍ତେ ଦଳ ମଧ୍ୟ ସ୍ୱତନ୍ତ୍ର ଫୋକସ୍ ଦେବ । କାର୍ଯ୍ୟକାରିଣୀରେ ରାଜନୀତିକ, ଅର୍ଥନୀତିକ ଓ ସାମାଜିକ ଏଜେଣ୍ଡାକୁ ଗୃହୀତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକାରିଣୀ ବୈଠକ ପରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେଉଥିବାବେଳେ ଉକ୍ତ ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟ, ୨୦୧୯ ଡିସେମ୍ବର ୨୬ତାରିଖରେ ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜେଡିର ଭବିଷ୍ୟତକୁ ନେଇ ଏକ ବଡ଼ ଘୋଷଣା କରିଥିଲେ, ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସେ କହିଥିଲେ ଯେ, ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି । ବିଜେଡି ନିଜର ଅସ୍ତିତ୍ୱ ଓ ଅଭିବୃଦ୍ଧି ପାଇଁ କାହା ଉପରେ ବି ନିର୍ଭରଶୀଳ ନୁହେଁ । ଏପରିକି ସେ କିମ୍ବା କିଛି ନେତାଙ୍କ ଉପରେ ବିଜେଡି ନିଜର ଭବିଷ୍ୟତ ପାଇଁ ନିର୍ଭରଶୀଳ ନୁହେଁ ବୋଲି କହି ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ପଛାଇ ନଥିଲେ ।


