ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋରେ ଆସନ୍ତା ୭-୮ବର୍ଷ ସୁଦ୍ଧା ୩୦ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ।
ଆଜି ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ, ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ଏହି ୩୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ସେଥିରୁ ୭ହଜାର କୋଟି ଟଙ୍କା ପଂଚମ ଷ୍ଟ୍ରିମ୍ ରିଫାଇନାରୀ, ପଟାଙ୍ଗୀ ଖଣିର ବିକାଶ, ସାଉଥ ବ୍ଲକ ଓ ଉତ୍କଳ-ଡି ଓ ଇ ଖଣିର ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟରେ ଖର୍ଚ୍ଚ କରାଯିବ । ଅବଶିଷ୍ଟ ୨୨ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣରେ ଖର୍ଚ୍ଚ କରାଯିବ । ଏହି ସମ୍ପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ସାମିଲ ଅଛି । ଏଥିରେ ୧୪୦୦ ମେଗାୱାଟ ଶକ୍ତି ସମ୍ପନ୍ନ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା ମଧ୍ୟ କରାଯିବ । ନାଲକୋର ଉତ୍ପାଦନ ବୃଦ୍ଧି ସହ ଉତ୍ତମମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲକୋ ଏ କ୍ଷେତ୍ରରେ ନୂଆ ଉପଲବ୍ôଧ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଖଣିଜସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ରାଜ୍ୟ ସରକାରମାନଙ୍କ ଅନୁରୋଧରେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ । ଆହୁରି ମଧ୍ୟ ଖଣିଗୁଡ଼ିକର ନିଲାମରେ ଉପର ଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରିନପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ୍ ଦିଆଯିବ ବୋଲି ସେ କହିଛନ୍ତି । ଓଡ଼ିଶାରେ ଖଣିଗୁଡ଼ିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଥିବା କେତେକ ନୀତିନିୟମକୁ କୋହଳ କରିବାକୁ ଚିନ୍ତା କରାଯାଉଛି । ସେ କହିଛନ୍ତି ଯେ ନୂଆ ଏମଏମଡିଆର ଆକ୍ଟ-୨୦୧୫ ଆଇନରେ ସଂଶୋଧନ କରାଯାଇ ଦେଶବ୍ୟାପୀ ଖଣିଗୁଡ଼ିକର ଆବଣ୍ଟନ ନିମନ୍ତେ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା । ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବାବେଳକୁ ଦେଶର ୪୬ଟି ଖଣିର ଲିଜ୍ ମିଆଦ ୨୦୨୦ ମାର୍ଚ୍ଚସୁଦ୍ଧା ଶେଷ ହୋଇସାରିଥିଲା । ସେଥିରୁ ସର୍ବାଧିକ ଖଣି ଓଡ଼ିଶାରେ ରହିଛି । ତେଣୁ ଏହି ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ସଂଶୋଧିତ ଖଣି ଆଇନ ୨୦୨୦କୁ ଏକ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ ବୋଲି ସେ କହିଛନ୍ତି । ଏହାସହିତ ଓଡ଼ିଶା ସରକାରଙ୍କ ଦାବି ଅନୁରୂପ ୩ଟି ଲୁହାପଥର ଖଣି ମଧ୍ୟ ଓଏମସି ଓ ଓଇଏମସିକୁ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଯୋଶୀ କହିଛନ୍ତି ।


