ଭୁବନେଶ୍ୱର : ବରିଷ୍ଠ ସିପିଏମ୍ ନେତା ତଥା ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସର୍କାର ମେ’ ୭ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମାନିକ୍ଙ୍କ ଏହି ପ୍ରସ୍ତାବିତ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ ଶ୍ରୀ ସର୍କାର୍ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦୀର୍ଘବର୍ଷ ଧରି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ସର୍କାରଙ୍କୁ ସାଂଗଠନିକ ଦାୟିତ୍ୱରେ ସିପିଏମ୍ ନିୟୋଜିତ କରିଛି । ସେ ମେ’ ୫ତାରିଖ ସନ୍ଧ୍ୟାରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୬ତାରିଖରେ ଭୁବନେଶ୍ୱରରେ ଦଳର ରାଜ୍ୟ ପଦାଧିକାରୀଙ୍କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ । ୭ତାରିଖ ସକାଳେ ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ବିଜେଡି ଏବେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତ୍ୱ ବଜାୟ ରଖିଥିବାବେଳେ ବାମଦଳ ମଧ୍ୟ ତୃତୀୟ ମୋର୍ଚ୍ଚା ଗଠନ ଉପରେ ଗୁରୁତ୍ୱ ଦେଇ ସେ ଦିଗରେ ଆଗେଇବାକୁ ରଣନୀତି ପ୍ରସ୍ତୁତ କରିଛି । ଏହି କାରଣରୁ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ଓ ମାନିକ୍ଙ୍କ ସାକ୍ଷାତକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି ।


