ଭୁବନେଶ୍ୱର : ମେ’ ୨୧ରେ ଚତୁର୍ଥ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମାନଙ୍କର ଦକ୍ଷତା ପରଖିବେ । ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମେ’ ୮ତାରିଖରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ । ପ୍ରତ୍ୟେକ ବିଭାଗ ପାଇଁ ୨ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇ ସେ ଦିଗରେ ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରସ୍ତୁତ ହୋଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ରାଜ୍ୟ ସରକାର ଗତ ୪ବର୍ଷ ମଧ୍ୟରେ କେତେ ପୂରଣ କରିଛନ୍ତି ତାକୁ ରାଜ୍ୟବାସୀଙ୍କୁ ଅବଗତ କରାଇବେ । ମେ’ ୨୧ତାରିଖରେ ମନ୍ତ୍ରିପରିଷଦ ବୈଠକ ମାଧ୍ୟମରେ ରାଜ୍ୟ ସରକାର ନିଜର ସଫଳତା ସର୍ବସାଧାରଣରେ ଜଣାଇବେ । ଚଳିତମାସ ୮ତାରିଖରୁ ୧୮ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ବିଭାଗର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ବିଭାଗ ପାଇଁ ୨ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି । ଯେଉଁ ମନ୍ତ୍ରୀମାନେ ସମ୍ପୃକ୍ତ ବିଭାଗର ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ ସେ ଦିଗରେ ପ୍ରସ୍ତୁତ ହୋଇ ସମୀକ୍ଷା ବୈଠକକୁ ଆସିବାକୁ କୁହାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକ ବିଭାଗ ଅତିକମ୍ରେ ନିଜର ସବୁଠୁ ୩ଟି ସଫଳ ଯୋଜନା ଅବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । ୨୦୧୪ ମସିହାରେ କ୍ଷମତାସୀନ ହେବାପରଠାରୁ ୪ବର୍ଷ ମଧ୍ୟରେ ସମ୍ପୃକ୍ତ ଯୋଜନାଗୁଡ଼ିକରେ କ’ଣ ସଫଳତା ମିଳିଛି ଓ କେତେ ବାକି ରହିଛି ସେ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀମାନେ ଜଣାଇବେ । ଯାହାକୁ ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ୱେବ୍ସାଇଟ୍ରେ ସାର୍ବଜନୀନ କରାଯିବ । ସରକାରଙ୍କ ଚତୁର୍ଥ ପାଳି କାର୍ଯ୍ୟକାଳର ଏହା ଶେଷ ସମୀକ୍ଷା ବୈଠକ ହୋଇଥିବା ତଥା ନିର୍ବାଚନୀ ବର୍ଷ ହୋଇଥିବାରୁ କୌଣସି ପ୍ରକାରର ଦାୟିତ୍ୱହୀନତା ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀମାନଙ୍କୁ କଡ଼ା ତାଗିଦ୍ କରାଯାଇଛି । ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀମାନେ ହିଁ ଉପସ୍ଥିତ ରହିବେ । ବିଭାଗଗୁଡ଼ିକ ଏବେ ନିଜର ସଫଳ ୩ଟି କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମେ’ ୨୧ତାରିଖରେ ନବୀନ ପଟ୍ଟନାୟକ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ କରାଯାଇଥିଲା । ସାଧାରଣ ନିର୍ବାଚନବେଳେ ରାଜ୍ୟବାସୀଙ୍କୁ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ହିଁ ସମୀକ୍ଷା ବୈଠକରେ ମୁଖ୍ୟ ଫୋକ୍ସରେ ରହିବ । ପ୍ରତ୍ୟେକ ବିଭାଗ ପାଇଁ ୨ଟି ଲେଖାଏ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇଛି ଓ ମନ୍ତ୍ରୀମାନଙ୍କୁ ସେଥିପାଇଁ ପ୍ରସ୍ତୁତ ହୋଇ ଆସିବାକୁ କୁହାଯାଇଛି । ସମୀକ୍ଷା ବୈଠକବେଳେ ମନ୍ତ୍ରୀମାନଙ୍କର ଦକ୍ଷତା ପରଖିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଭାଗ ସମ୍ପର୍କିତ କିଛି ପ୍ରଶ୍ନ ପଚାରିବେ । କେଉଁ ଦିନ କେଉଁ ବିଭାଗର ସମୀକ୍ଷା କରାଯିବ ତାହା ମନ୍ତ୍ରୀମାନଙ୍କୁ ଆଗୁଆ ଜଣାଇ ଦିଆଯାଇଛି । ଏହି ସମୀକ୍ଷା ବୈଠକ ୮ରୁ ୧୮ କିମ୍ବା ୧୦ରୁ ୨୦ତାରିଖ ମଧ୍ୟରେ ଶେଷ ହେବ ବୋଲି ଜଣାପଡ଼ିଛି ।


