ନୂଆଦିଲ୍ଲୀ: ଭାରତକୁ ଧମକ ଦେଇଛି ଆଫଗାନିସ୍ତାନରେ ମାଡ଼ି ଚାଲିଥିବା ତାଲିବାନ ସଂଗଠନ। ଭାରତ ଯଦି ଆଫଗାନିସ୍ତାନରେ କୌଣସି ସାମରିକ ଭୂମିକା ନିର୍ବାହ କରିବ, ତା’ହେଲେ ଏହା ଆଦୌ ଠିକ୍ ହେବନାହିଁ । ଏଭଳି ଚେତାବନୀ ତାଲିବାନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ତେବେ ଭାରତକୁ ଧମକ ଦେବା ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମକୁ ତାଲିବାନ ପକ୍ଷରୁ ପ୍ରଶଂସା ମଧ୍ୟ କରାଯାଇଛି । ଆଫଗାନିସ୍ତାନରେ ଭାରତ ପକ୍ଷରୁ ସାଲମା ଡ୍ୟାମ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହା ନିଶ୍ଚୟ ଏକ ଭଲ ପକ୍ଷେପ।
କତାରରେ ଥିବା ତାଲିବାନର ମୁଖପାତ୍ର ଶୋହିଲ ଶାହୀନ ଏଏନ୍ଆଇକୁ କହିଛନ୍ତି, “ସାମରିକ ଭୂମିକା ଅର୍ଥ କ’ଣ ଭାବୁଛନ୍ତି? ଯଦି ସେମାନେ(ଭାରତ ସରକାର) ଆଫଗାନିସ୍ତାନ ସେନାକୁ ସହାୟତା କରିବେ ଓ କାବୁଲ ଯାଇ ଆମ ବିରୋଧରେ ସାମରିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ, ତା’ହେଲେ ଏହା ସେମାନଙ୍କ ପାଇଁ ଆଦୌ ଭଲ ହେବନାହିଁ। ଅନ୍ୟ ଦେଶର ଉଦାହରଣ ଦେଇ ସେ କହିଛନ୍ତି କି ଅନ୍ୟ ଦେଶ ଆଫଗାନିସ୍ତାନ ମାମଲାରେ ମୁଣ୍ଡ ପୁରାଇ କିଭଳି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି ତାହା ଭାରତକୁ ବେଶ ଭଲଭାବେ ଜଣା । ତେବେ ଭାରତ ଆଫଗାନିସ୍ତାନ ମାମଲାରେ ମୁଣ୍ଡ ପୁରାଇବା ପୂର୍ବରୁ ଭଲ ଭାବେ ଚିନ୍ତା କରୁ ବୋଲି ତାଲିବାନ ମୁଖ୍ୟ କହିଛନ୍ତି ।


