ଭୁବନେଶ୍ୱର : ୧୧ ଦଫା ଦାବିରେ ବୁଧବାର ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ସତ୍ତେ୍ୱ ସ୍ପଷ୍ଟ ନିର୍ଯ୍ୟାସ ବାହାରି ନଥିବାରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବସ୍ ଧର୍ମଘଟ କରାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି ।ଭୁବନେଶ୍ୱର : ୧୧ ଦଫା ଦାବିରେ ବୁଧବାର ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ସତ୍ତେ୍ୱ ସ୍ପଷ୍ଟ ନିର୍ଯ୍ୟାସ ବାହାରି ନଥିବାରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବସ୍ ଧର୍ମଘଟ କରାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ରାଜ୍ୟ ବସ୍ ମାଲିକ ସଂଘର ସଭାପତି ପ୍ରକାଶ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ସହ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁ ଓ ବିଭାଗୀୟ ପଦାଧିକାରୀଙ୍କ ଆଲୋଚନା ସଫଳ ରହିଛି । ବିଶେଷକରି ପରିବହନ ପ୍ରସଙ୍ଗରେ ରହିଥିବା ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି । କିନ୍ତୁ ସିଟି ବସ୍ ଚଳାଚଳକୁ ନେଇ ଆଲୋଚନା ହୋଇପାରି ନାହିଁ । ଆସନ୍ତାକାଲି ପୂର୍ବାହ୍ନ ୧୨ଟାରେ ପୁଣିଥରେ ସରକାର ଓ ବସ୍ ମାଲିକ ସଂଘ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ । ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁ କହିଛନ୍ତି ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ଧର୍ମଘଟ ନିଷ୍ପତ୍ତିରୁ ଓହରି ଯିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି । ଆସନ୍ତାକାଲି ପୁଣିଥରେ ବୈଠକ ଡକାଯାଇଛି । ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ମଧ୍ୟସ୍ଥତା କରୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି ଓ ଯେଉଁସବୁ ଦାବି ଘରୋଇ ବସ୍ ମାଲିକ ସଂଘର ରହିଥିଲା ତାକୁ ପ୍ରାୟତଃ ସରକାର ମାନି ନେଇଛନ୍ତି । ତେବେ ଆସନ୍ତାକାଲି ପୁଣିଥରେ ପୂର୍ବାହ୍ନରେ ବୈଠକ ବସି ଏହା ଚୂଡ଼ାନ୍ତ କରାଯିବ । ଆଜି ସନ୍ଧ୍ୟାରେ ଆଲୋଚନାରେ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧି, ପରିବହନ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପରିବହନ କମିଶନର ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକ ପରେ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ସଂଘର କାର୍ଯ୍ୟନିର୍ବାହୀ ବୈଠକରେ ଆସନ୍ତାକାଲି ସକାଳ ୬ଟାରୁ ଧର୍ମଘଟ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଟୋଲ୍ ଫି ଛାଡ଼, ସିଟି ବସ୍ ରୁଟ୍ ଚାର୍ଟରେ ପାରଦର୍ଶିତା, ମୋଟର ଯାନ ଟିକସ ବୃଦ୍ଧିକୁ ପ୍ରତ୍ୟାହାର ଆଦି ୧୧ଦଫା ଦାବିରେ ୧୪ତାରିଖ ପୂର୍ବାହ୍ନ ୬ଟାରୁ ରାଜ୍ୟବ୍ୟାପୀ ଧର୍ମଘଟ କରାଯିବ ବୋଲି ଘୋଷଣା କରିଥିଲା । ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ଫେବୃୟାରୀ ୧୯ତାରିଖରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା ।


