ଭୁବନେଶ୍ୱର(ଓଡ଼ିଶା ୱେୟାର):ଆପଣ ଏଟିଏମ୍ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍ ଏବଂ ରୋମାନ୍ସ। ଆଉ ଏପରି ଏକ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍ର ଫିଲ୍ମ ‘ପ୍ରେମ ଏଟିଏମ୍’।
ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଲଭ୍ ଏବଂ ରୋମାନ୍ସକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି।ଚଳଚ୍ଚିତ୍ରରେ ନାୟକ ନିଜକୁ ବଡ ଲୋକ ଘର ପୁଅ ବୋଲି ଦର୍ଶାଉଛି। ଦିନେ ସେ ତା ଧନୀ ସାଙ୍ଗର ଗାଡି ମାଗି ହିରୋଇନ୍ଙ୍କୁ ଦେଖା କରିବା ପାଇଁ ଆସିଛି। କିନ୍ତୁ ଗାଡିଟି ବାରମ୍ବାର ରାସ୍ତାରେ ଅଟକି ଯାଉଛି। ସେ ସମୟରେ ହିରୋଇନ୍ ତାଙ୍କୁ ଅନ୍ୟ ଜିନିଷ ଧରି ଅପଦସ୍ତ ହେବା ଅପେକ୍ଷା ନିଜ ପାଖରେ ଯେତିକି ଅଛି ସେଥିରେ ସନ୍ତୁଷ୍ଟ ହେବା କଥା କହିଛନ୍ତି। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବାରେ ଲାଗିଛି।
ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ପ୍ରଦୀପ ଏବଂ ଅଭିନେତ୍ରୀ ଦିବ୍ୟାଶା। ଏହି ଫିଲ୍ମକୁ ଶ୍ରୀମତୀ ନବନିତା ମିଶ୍ର ପ୍ରଡ୍ୟୁସ୍ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ।


