ଭୁବନେଶ୍ୱର : ୧୯୭୫ ମସିହାରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ଓ ତା’ର କୁପରିମାଣ ସମ୍ପର୍କରେ ବର୍ତମାନ ପୀଢ଼ି ନିଶ୍ଚିତ ଜାଣିବା ଉଚିତ୍ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ସେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କରି କହିଛନ୍ତି ଯେ, ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧେକଙ୍କ ଜନ୍ମ ୧୯୭୫ ମସିହାର ଜରୁରୀ ପରିସ୍ଥିତି ପରେ ହୋଇଛି । ସେମାନେ ଜରୁରୀ ପରିସ୍ଥିତି ସମ୍ପର୍କରେ ସାମାନ୍ୟ ଜାଣନ୍ତି । ସେତେବେଳେ କ’ଣ ହୋଇଥିଲା, ତା’ର ଖରାପ ଦିଗ ପ୍ରତି ସେମାନେ ନିଶ୍ଚିତ ଭାବେ ଜାଣିବା ଉଚିତ୍ । ୧୯୭୫ ଜାତୀୟ ଜରୁରୀ ପରିସ୍ଥିତି ଏକ ବୃହତ୍ ଶିକ୍ଷା ଓ ସବୁସମୟ ପାଇଁ ମନେ ରହିବ । ଆଧୁନିକ ଭାରତୀୟ ଗଣତନ୍ତ୍ର ଇତିହାସର ସେହି କଳା ଅଧ୍ୟାୟକୁ ପୁନଃ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ଯାହାଫଳରେ ଭବିଷ୍ୟତରେ ସାଧାରଣ ସ୍ୱାତନ୍ତ୍ରତାର ଉଲ୍ଲଘଂନ ହେବ ନାହିଁ ଓ ନାଗରିକର ମୌଳିକ ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ରାଜ୍ୟପାଳ ଜରୁରୀ ପରିସ୍ଥିତି ସମୟରେ ନିଜେ ସହିଥିବା ପୁଲିସ୍ ନିର୍ଯାତନା କଥା ମନେ ପକାଇ କହିଛନ୍ତି ଯେ ସେତେବେଳେ ହରିଆଣାର ନ୍ୟାସନାଲ କଲେଜରେ ସେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ପୀଡ଼ିତ ଥିଲେ । ଦିନ ଦ୍ୱିପ୍ରହରରେ ତାଙ୍କୁ ବିଚ୍ ରାସ୍ତାରେ ପୁଲିସ୍ ବାଡ଼େଇ ବାଡ଼େଇ ନେଇଥିଲା । ତାଙ୍କୁ ପୁଲିସ୍ ନିର୍ଯାତନା ମଧ୍ୟ ସହିବାକୁ ପଡ଼ିଥିଲା । ଯେଉଁମାନେ ସେତେବେଳେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିଲେ ସେମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଉଥିଲା । ନାଗରିକଙ୍କ ଅଧିକାରକୁ ନିରସ୍ତ୍ର,ଗଣମାଧ୍ୟମର ସ୍ୱାଧୀନତା ଉପରେ କଟକଣା ଓ ଗଣତାନ୍ତ୍ରିକ ସଂସ୍ଥା ଭୁଷୁଡ଼ି ପଡ଼ିବା ପାଇଁ ୧୯୭୫ ଜୁନ୍ ୨୫ତାରିଖ ମନେ ରହିବ ବୋଲି ରାଜ୍ୟପାଳ କହିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ରାଜନୀତିକ ଓ ବ୍ୟକ୍ତିଗତ ବିଦ୍ୱେଷ ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ଯାହା ଜରୁରୀକାଳୀନ ପରିସ୍ଥିତି ଭାବେ ଦେଶକୁ ବିଭ୍ରାନ୍ତ କରିଥିଲା । ଇତିମଧ୍ୟରେ ୪୩ବର୍ଷ ବିତିଯାଇଥିଲେ ସୁଦ୍ଧା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେହି ୨୧ମାସର ଏକଛତ୍ରବାଦୀ ଶାସନର ଦୁଃସ୍ୱପ୍ନ ଏବେ ବି ସେହି ସମୟକୁ ଅନୁଭବ କରିଥିବା ଲୋକଙ୍କୁ କଷ୍ଟ ଦେଉଛି । ସେତେବେଳେ ପୁଲିସ୍ର ଅମାନବୀୟ ଅତ୍ୟାଚାର ଓ ମାସମାସ ଧରି ଜେଲ୍ରେ ବିତାଇବାର ଯନ୍ତ୍ରଣା ଏବେ ମଧ୍ୟ ମନେ ରହିଛି । ଅନ୍ୟ ବହୁ ନେତାଙ୍କୁ ଟାର୍ଗେଟ୍ କରାଯାଇ ଜେଲ୍ରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସେତେବେଳେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ । ଏପରିକି ସାଧାରଣ ଲୋକ ମଧ୍ୟ ବାଦ୍ ପଡ଼ିନଥିଲେ ବୋଲି ରାଜ୍ୟପାଳ କହିଛନ୍ତି ।


