ଭୁବନେଶ୍ୱର (ଓଡ଼ିଶା ୱେୟାର): ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଗୃହରେ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବାର ଥିବାରୁ ଆଜି ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ମଧ୍ୟ ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଛି ।
ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରୀ ହତ୍ୟା ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ପ୍ରଥମାର୍ଦ୍ଧରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା । ଯଦିଓ କୋର୍ଟଙ୍କ ପରିଚାଳନାରେ ଏସଆଇଟି ଏହି ମାମଲାର ତଦନ୍ତ କରିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଗୃହକୁ ସୂଚନା ଦେଇଥିଲେ । ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିଜେପି ସଦସ୍ୟମାନେ ଅନୁରୂପ ଭାବେ ହଟ୍ଟଗୋଳ କରିବାରୁ ଦୁଇଟି ପର୍ଯ୍ୟାୟରେ ୩୦ମିନିଟ୍ ଓ ୧୩ମିନିଟ୍ ଗୃହ ମୁଲତବୀ ରହିଥିଲା । ତେବେ ସାଢ଼େ ୪ଟା ମଧ୍ୟରେ ଗିଲୋଟିନରେୁ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବାରୁ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା । ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ଲାଗିଥିବା ଗ୍ଲାସ ଭଙ୍ଗା ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା । କଂଗ୍ରେସ ସଦସ୍ୟମାନେ ଆଜି ବିରୋଧ ନକରି ଗୃହ କାର୍ଯ୍ୟରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।
ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗର ସାମଗ୍ରିକ ବ୍ୟୟ ଅଟକଳ ମୋଟ ୧୮,୧୦୫.୮୪କୋଟି ଟଙ୍କା ରଖାଯାଇଛି । ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟକୁ ପରିବର୍ଦ୍ଧିତ କରିବା ପାଇଁ ୨୨୫୨.୮୪କୋଟି ଟଙ୍କାର ଅତିରିକ୍ତ ବଜେଟ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନାରେ ୨୦୨୦-୨୧ରେ ମୋଟ ୬,୮୯,୯୯୦ଟି ପକ୍କାଘର ନିର୍ମାଣ ପାଇଁ ୩୯୬୨କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଛି । ଏବେସୁଦ୍ଧା ୨ଲକ୍ଷ ୧୫ହଜାର ଗୃହ ନିର୍ମାଣ ସରିଛି । ସେହିପରି ମନରେଗା ଯୋଜନାରେ ଅତିରିକ୍ତ ବଜେଟରେ ୭୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୮.୯୧କୋଟି ଟଙ୍କା, ଆମ ଗାଁ ଆମ ବିକାଶ ଯୋଜନାରେ ୧୮.୪୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
ହଟ୍ଟଗୋଳ ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହେବାପରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଥିଲା । ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...