ଭୁବନେଶ୍ୱର(ଓଡ଼ିଶା ୱେୟାର): ଗୃହରେ ମମିତା ତାତି। ବିରୋଧୀଙ୍କ କଡ଼ା ବିରୋଧରେ ଗୃହ ଅଚଳ। ଗତକାଲି ଭଳି ଆଜି ବି ମଧ୍ୟ ଗୃହକାର୍ଯ୍ୟ ଚାଲିପାରିନାହିଁ। ଫଳରେ ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି। ଆଜି ବି ବିଧାନସଭାରେ ଆରମ୍ଭରୁ ବିରୋଧୀମାନେ ଗୃହରେ ଜୋରଦାର ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପୋଷ୍ଟର, ବ୍ୟାନର ଦେଖାଇବା ସହ ହଟ୍ଟଗୋଳ କରିଥିଲେ। ଫଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଦେଇଥିଲେ ବାଚସ୍ପତି । ସେପଟେ ମମିତା ପ୍ରସଙ୍ଗରେ ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେପିକୁ କିନ୍ତୁ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ଟାର୍ଗେଟ କରିଛି ବିଜେଡି । ଶାସକ ଦଳର ବିଧାୟକମାନେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ଗୃହ ମୁଲତବି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି କାହିଁକି ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବୁଝାପଡୁନି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆମେ ମୁଲତବି ନୋଟିସ୍ ଆଣିଥିଲୁ । ଆଲୋଚନା ନ କରିବା ପାଇଁ ବାଚସ୍ପତି ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି। ସରକାରଙ୍କ ଚାପରେ ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରୁଛୁ। ଏନେଇ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ବିରୋଧୀ କେବଳ ମମିତା ପ୍ରସଙ୍ଗକୁ ଧରି ଗୃହକୁ ଅଚଳ କରାଉଛନ୍ତି। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ଚାହୁଁ ନାହାନ୍ତି। ଜନସାଧାରଣଙ୍କ ପ୍ରକୃତ ସମସ୍ୟାକୁ ଏଡ଼ାଇ ଯାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଉପରେ ଚାପ ପଡ଼ିବ । ଏହା ବିଜେପି ଓ କଂଗ୍ରେସର ସୁଚିନ୍ତିତ ଋଣନୀତି। ମୁଖ୍ୟ ପ୍ରସଙ୍ଗକୁ ସେମାନେ ଏଡ଼ାଇ ଯିବାକୁ ଚାହୁଁଛନ୍ତି।