ସୁରଟ,: ଗୁଜରାଟ ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ ଜଣ ଆହତ ହୋଇଛନ୍ତି ।
ଦହେଜ ଶିଳ୍ପାଞ୍ଚଳରେ ଥିବା ଓମ୍ ଅର୍ଗାନିକ୍ ଫାର୍ମ ନାମକ ପ୍ଲାଣ୍ଟରେ ପ୍ରତ୍ୟୁଷରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ପ୍ଲାଣ୍ଟର ରିଆକ୍ଟର ବିସ୍ଫୋରଣ ହୋଇଥିଲା ଏବଂ ପରେ ସମଗ୍ର ପରିସରରେ ନିଆଁ ଲାଗିଯାଇଥିଲା । ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭାଇଥିଲେ ।
ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ପି ଲୀନା ପାଟିଲ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।