ଭୁବନେଶ୍ୱର: ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଉଚ୍ଚ ଅଦାଲତରୁ ଝଟକା ଲାଗିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଫଳରେ ଭୁବନେଶ୍ୱର କୋର୍ଟଙ୍କ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଆଦେଶ ବଳବତ୍ତର ରହିଛି । ସାଂସଦ ଏବଂ ବିଧାୟକ ପାଇଁ ଉଦ୍ଦିଷ୍ଟ ଥିବା ସ୍ୱତନ୍ତ୍ର କୋର୍ଟ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ଡିତ କରିଥିଲେ । ମାତ୍ର ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାତ୍ର ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ । ପ୍ରମାଣ ନଷ୍ଟ କରିବା କରିବା ଅଭିଯୋଗରେ ଦଫା-୨୦୧ରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
କ’ଣ ରହିଥିଲା ମାମଲା ?
ତତ୍କାଳୀନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଏମ୍ଏଲ୍ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ରେ ରହୁଥିଲେ । ୧୯୯୫ ଅଗଷ୍ଟ ୨୯ ତାରିଖରେ ତାଙ୍କ ଦ୍ଵିତୀୟ ପତ୍ନୀ ଶଶିରେଖା ଗମାଙ୍ଗଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବାସଭବନର ବାଥରୁମ୍ରୁ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିଲା । ସେତେବେଳେ ସେ ଗର୍ଭବତୀ ମଧ୍ୟ ଥିଲେ । ଏ ନେଇ ରାମମୂର୍ତ୍ତି ନିଜେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସେ ଆତ୍ମହତ୍ୟା କରିଥିଲେ ଏତଲା ଦେଇଥିଲେ । ମାତ୍ର ପରେ ତଦନ୍ତୁ ଜଣାପଡ଼ିଥିଲା ଯେ ଏହା ଏକ ହତ୍ୟାକାଣ୍ଡ । ପତ୍ନୀଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା।
ସ୍ତ୍ରୀକୁ କିରୋସିନ ଢାଳି ଜାଳି ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିଲା । ୧୯୯୫ ନଭେମ୍ବର ୧ରେ ସେ ଜାମିନରେ ମୁକୁଳିଥିଲେ । ସାଂସଦ ଏବଂ ବିଧାୟକଙ୍କ ମାମଲାରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ମାମଲା ସେଠାକୁ ଯାଇଥିଲା । ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଉପସ୍ଥାପନକୁ ଆଧାର କରି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।