ବାରିପଦା: ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା ଶିମିଳିପାଳ ଗେଟ୍। ସଜେଇ ହୋଇଥିଲା ସୁନ୍ଦରୀ ଶିମିଳିପାଳ। ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇ ଥିବା ବେଳେ ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲଶ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା । ଦୀର୍ଘ ଦିନର ବ୍ୟବଧାନ ପରେ ଗତ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି।
ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ହେଉଛି । ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ ଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ ।
ଶିମିଳିପାଳ ଖୋଲିବା ପରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ତଥା ଏହାର ଘଞ୍ଚ ଜଙ୍ଗଲରେ ହଜି ଯିବାରୁ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ। ଏହି ସମୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ଯାତ୍ରୀ ପ୍ରବେଶ ଅନୁମତି ମିଳିଥିଲା । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଥିଲା। ଏବେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏପରି ହଠାତ୍ ବନ୍ଦ ଘୋଷଣା ଯୋଗୁ ସେମାନେ ନିରାଶ ହୋଇଛନ୍ତି।