ଗାଙ୍ଗଟକ: ଦିନକୁ ଦିନ ବଢିଚାଲିଛି ପରିବେଶ ପ୍ରଦୂଷଣ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ କାରଣରୁ ଏହି ସମସ୍ୟା ସମୟକ୍ରମେ ବଢି ବଢି ଚାଲିଛି। ଯାହାର ପ୍ରଭାବ ମଣିଷ ସମାଜ ଠାରୁ ଆରମ୍ଭ କରି ଉଭୟ ପ୍ରାଣୀ ସହିତ ଉଦ୍ଭିଦ ଜଗତକୁ ଭୋଗିବାକୁ ପଡିଛୁ। ଭବିଷ୍ୟତର ଏହା ଭୟାନକ ରୂପ ଧାରଣ କରିପାରେ।
ବଢିଚାଲିଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ରାଜ୍ୟ ସିକ୍କିମ ସରକାର। ଏନେଇ ନିଆଯାଇଥିବା ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ଯାଇ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ପ୍ଲାଷ୍ଟିକ ପାଣି ବୋତଲ ବିକ୍ରି ଉପରେ କଟକଣା ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଲାଗୁ ହେବା ପରେ ଲୋକେ ପିଇବା ପାଣି ପାଇଁ ଥର୍ମୋ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହେବ।
ଏନେଇ ପ୍ରତିକ୍ରିୟା ରଖି ସିକ୍କିମ ମୁଖ୍ୟମନ୍ତ୍ରୀ ପିଏସ ତମାଙ୍ଗ କହିଛନ୍ତି ପ୍ଲାଷ୍ଟିକ ପାଣି ବୋତଲ କାରଣରୁ ରାଜ୍ୟରେ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି। ଲୋକେ ଏହାକୁ ବ୍ୟବହାର କରିବା ପରେ ଏଣେତେଣେ ଫୋପାଡି଼ ଦେଉଛନ୍ତି। ଏହା ଦ୍ୱାରା ଯେ କେବଳ ରାଜ୍ୟର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ତାହା ନୁହେଁ ବରଂ ପରିବେଶ ପ୍ରଦୂଷଣ ଭଳି ସମସ୍ୟା ଦିନକୁ ଦିନ ବଢିଚାଲିଛି।
ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତମାଙ୍ଗ କହିଛନ୍ତି ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ପ୍ଲାଷ୍ଟିକ ପାଣି ବୋତଲ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ରାଜ୍ୟରେ ଏପରି ଜଳ ଉତ୍ସ ରହିଛି ଯେଉଁଠି ଉତ୍ତମ ଗୁଣବତ୍ତାଯୁକ୍ତ ପାନୀୟ ଜଳ ମିଳୁଛି। ପ୍ୟାକେଜ୍ ଜଳ ଉପରେ ନିଷେଧାଦେଶ ପରେ ସରକାର ଲୋକଙ୍କୁ ପ୍ରାକୃତିକ ଉତ୍ସରୁ ଜଳ ଯୋଗାଇ ଦେବେ। ଅର୍ଥାତ୍ ଲୋକେ ରାଜ୍ୟର ଯେକୌଣସି ଅଞ୍ଚଳରେ ଶୁଦ୍ଧ ଜଳ ପାନ କରିପାରିବେ।
ରାଜ୍ୟର ଜନସାଧାରଣଙ୍କୁ ପ୍ଲାଷ୍ଟିକ ପାଣି ବୋତଲ ଠାରୁ ଦୂରରେ ରହିବା ସହ ପ୍ରାକୃତିକ ଜଳ ଉତ୍ସ ବାଛିବାକୁ ହେବ। ପ୍ୟାକେଜ୍ ପାଣି ତିଆରି କରୁଥିବା କମ୍ପାନୀ ସେମାନେ ଷ୍ଟକ୍ ପ୍ଲାଷ୍ଟିକ ପାଣି ବୋତଲକୁ ଶେଷ କରିବାକୁ ୩ ମାସର ସମୟ ଦିଆଯାଇଛି। ଏହା ପରେ ସେମାନଙ୍କୁ କୌଣସି ସମୟ ଦିଆଯିବନାହିଁ। ରାଜ୍ୟ ସରକାର ବାହାରୁ ଆସୁଥିବା ପ୍ଲାଷ୍ଟିକ ବୋତଲ ଜଳ ଯୋଗାଣକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଉତ୍ତର ସିକ୍କିମସ୍ଥିତ ଲାଚେନ ଠାରେ ପ୍ଲାଷ୍ଟିକ ପାଣି ବୋତଲ ବିକ୍ରି ଉପରେ ନିଷେଧାଦେଶ ଜାରି ହୋଇଛି। ପର୍ଯ୍ୟଟକଙ୍କ ଲାଗି ଏହି ସହର ବେଶ ପ୍ରସିଦ୍ଧ। ପ୍ଲାଷ୍ଟିକ ବୋତଲ ଦ୍ୱା ରା ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନ ପୂର୍ବରୁ ପ୍ୟାକେଜ୍ ପାଣି ଉପରେ ପ୍ରତିବନ୍ଧକ ଲଗାଇସାରିଛି।