ଭୁବନେଶ୍ବର (ଓଡ଼ିଶା ୱେୟାର) : ପ୍ରଗତି ପଥେ ଏକାମ୍ର। ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୧୦୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ବ୍ୟବସ୍ଥା, ୯ କୋଟି ଟଙ୍କା ବ୍ୟୟରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ଓ ଜଗନ୍ନାଥ ବିହାର ଅଞ୍ଚଳକୁ ୨୪ ଘଣ୍ଟିଆ ଜଳଯୋଗାଣ, ୫୨ କୋଟି ଟଙ୍କା ବ୍ୟୟରେ ଗଙ୍ଗୁଆ ବାମ ପାର୍ଶ୍ୱରେ ୨ ଲେନ ବିଶିଷ୍ଟ ରାସ୍ତା, ୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଲିଙ୍ଗରାଜ ଓ ଲେପ୍ରୋସି କଲୋନୀ ବାସିନ୍ଦାଙ୍କୁ ଥଇଥାନ, ଦେଢ କୋଟି ଟଙ୍କା ବ୍ୟୟରେ ଧଉଳି ଶାନ୍ତିସୂପର ନବୀକରଣ କରାଯିବ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢି ତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ଵରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୂର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ଵରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ । କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସଂପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଭୁବନେଶ୍ୱର ମୁନିସପାଲଟି କମିଶନର ପ୍ରମୁଖ ଉପସ୍ଥିତ ଥିଲେ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...