ରାଜ୍ୟ

ଆଗୁଆ ସରିଲା ବିଧାନସଭା, ଭାବବିହ୍ୱଳ ବିଦାୟ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭା ପୁଣି ଅଧାରୁ ଶେଷ ହୋଇଛି । ୨ଦିନ କାର୍ଯ୍ୟଦିବସ ଥାଇ ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ଶେଷ ହେଉଥିବାରୁ ବିଧାୟକମାନେ ପରସ୍ପରକୁ ଭାବବିହ୍ୱଳ ବିଦାୟ ଜଣାଇଛନ୍ତି ।
ଚଳିତ ଅଧିବେଶନରେ ଆରମ୍ଭରୁ ଗତିରୋଧ ଲାଗି ରହିଥିଲା ଓ କୌଣସି ଗୋଟିଏ ଦିନ ମଧ୍ୟ ଗୃହ ସ୍ୱାଭାବିକ ଢଙ୍ଗରେ ଚାଲିପାରିନାହିଁ । କେବଳ ୨୦୧୯-୨୦ ଆର୍ଥିକ ବର୍ଷର ୫୬,୯୨୧ କୋଟି ଟଙ୍କାର କାମଚଳା ବଜେଟ୍ ଗୃହୀତ ହୋଇଛି । ନଭେମ୍ବରରେ ବିଧାନସଭା ୨୩ ଦିନ ଚାଲିବା ପରିବର୍ତ୍ତେ ମାତ୍ର ୫ଦିନ ଚାଲିଥିଲା । ଚଳିତ ବିଧାନସଭା ଅଧିବେଶନ ଫେବୃଆରୀ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଥିଲା। ୪ମାସର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାୟକମାନେ ଗ୍ରୁପ୍ ଫଟୋ ଉଠାଇଥିଲେ । ଏହାପରେ ବିଧାୟକମାନେ ନିଜ ନିଜର ଭାବବିହ୍ୱଳ ମତ ରଖିଥିଲେ। ବେକାରୀ ନିଯୁକ୍ତି ପ୍ରସଙ୍ଗରେ ବିଜେପି ସରକାରକୁ ଶାସକ ବିଜେଡି ଘେରିଥିବାବେଳେ କଂଗ୍ରେସ ଚାଷ ଓ ଚାଷୀ ପ୍ରସଙ୍ଗ ଉଠାଇଛି। ଚଳିତ ଅଧିବେଶନରେ କୌଣସି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିବାବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସ୍ୱାଭାବିକ ନଥିଲା । ଅବଶ୍ୟ ୫ଟି କାର୍ଯ୍ୟଦିବସରେ ହୋ-ହାଲ୍ଲା ମଧ୍ୟରେ ପ୍ରଶ୍ନକାଳରେ ୩ଟି ପ୍ରଶ୍ନ ଉପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥିବା ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚଳିତ ଅଧିବେଶନରେ ୧୪ଟି ବାର୍ଷିକ ରିପୋର୍ଟ, ୮ଟି କମିଟି ରିପୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ବିବୃତ୍ତି ରଖାଯାଇଥିଲା। ମୋଟାମୋଟି ଦେଖିଲେ କେବଳ କାମଚଳା ବଜେଟକୁ ଅନୁମୋଦନ ବ୍ୟତୀତ ଗୃହରେ ଅନ୍ୟ କୌଣସି ବିଶେଷ କାର୍ଯ୍ୟ ହୋଇପାରିନି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମ୍ଭାବ୍ୟ ଶେଷ ଅଧିବେଶନରେ ଗୃହରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବପର ହୋଇପାରିନି। ଉପରଠାଉଣିଆ ଭାବେ ବିରୋଧୀ ଦଳ ପକ୍ଷରୁ ଚାଷୀ ଓ ଚାଷ ସମସ୍ୟା, ବେକାରୀ ସମସ୍ୟା ଏବଂ ଚିଟଫଣ୍ଡ ସମସ୍ୟା ଉଠାଯାଇଥିବାବେଳେ ଶାସକ ଦଳ ମଧ୍ୟ ଅନୁରୂପ ଭାବେ ବେକାରୀ ସମସ୍ୟା ପାଇଁ କେନ୍ଦ୍ରକୁ ଦାୟୀ କରି ଗୃହକୁ ଚଳାଇ ଦେଇନଥିଲା।
ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ମାସରେ ବସିଥିବା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୧୬ରୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ମୋଟ ୨୩ଦିନ ବସିବାର କାର୍ଯସୂଚୀ ଥିଲା । କିନ୍ତୁ ମାତ୍ର ୫ଦିନ ଚାଲିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version