ରାଜ୍ୟ
ଶ୍ରୀମନ୍ଦିର କାନ୍ଥରେ ଲାଗିଲା ନୋଟିସ, ବିଶ୍ୱ ହିନ୍ଦୁ ପରିଷଦ କଲା ସ୍ୱାଗତ
ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶକୁ ଶ୍ରୀମନ୍ଦିର ପ୍ରଶାସନ ତ୍ୱରିତ୍ ପାଳନ କରିଛି । ଆଜି ଶ୍ରୀମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ସେବାୟତ ଓ ଭକ୍ତଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଲଗାଯାଇଛି । ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଶ୍ୱ ହିନ୍ଦୁ ପରିଷଦ ସ୍ୱାଗତ କରିଛି ।
ଶ୍ରୀମନ୍ଦିର କାନ୍ଥରେ ଲଗାଯାଇଥିବା ନୋଟିସ୍ ଅନୁସାରେ ଭକ୍ତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳୀ, ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀମାନେ ଗ୍ରହଣ କରିପାରିବେ ନାହିଁ । ଭକ୍ତମାନେ ଦେଉଥିବା ଦାନକୁ ଶ୍ରୀମନ୍ଦିରସ୍ଥ ହୁଣ୍ଡି ବା ଦାନବାକ୍ସରେ ପକାଇ ପାରିବେ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା କାର୍ଯ୍ୟାଳୟ ଓ ଶ୍ରୀମନ୍ଦିରର ସୂଚନାକେନ୍ଦ୍ରଗୁଡ଼ିକରେ ଦାନ ଦେଇ ରସିଦ୍ ନେଇପାରିବେ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଭାବେ ତର୍ଜମା କରାଯାଇନି ଓ ପ୍ରଶାସନ ତରବରିଆ ଭାବେ ଏଭଳି ପଦକ୍ଷେପ ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଆଜି ସତ୍ୟନଗର ସ୍ଥିତ ହୋଟେଲ୍ ରୟାଲ୍ ସୁଟ୍ ଠାରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ଃ. ବଦ୍ରିନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଗତ କିଛିଦିନ ଧରି ଲାଗିରହିଥିବା ବିବାଦକୁ ନେଇ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆଜି ଏହି ଏକ ପ୍ରେସ୍ ସମ୍ମିଳନୀ ଆୟୋଜନ କରାଯାଇଅଛି । ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ବିଭ୍ରାଟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ବିଶ୍ୱହିନ୍ଦୁ ପରିଷଦ ସ୍ୱାଗତ କରୁଛି ବୋଲି ଡ଼ଃ. ପଟ୍ଟନାୟକଙ୍କ କହିଛନ୍ତି । ସେବକ ମାନେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ମାନଙ୍କୁ ଜୋରବରଦସ୍ତ ଦାନ ଦକ୍ଷିଣା କରିବାକୁ ବାଧ୍ୟ କରିପାରିବେ ନାହିଁ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶ୍ରୀଜଗନ୍ନାଥଙ୍କ ଭାବାବେଗ ସହିତ ଜଡ଼ିତ ହୋଇ ଭଗବାନଙ୍କୁ ଦାନ ଆକାରରେ ବହୁ ମୁଲ୍ୟବାନ ଦ୍ରବ୍ୟ, ଅଳଙ୍କାର ଓ ଅର୍ଥରାଶି ମାନ ଦାନ କରିଥାନ୍ତି । ଉକ୍ତ ଦାନକୁ କୌଣିସି ସେବାୟତ ଆତ୍ମସାତ ନକରି, କିପରି ଭକ୍ତ ମାନଙ୍କ ଦାନକୁ ସଧାସଳଖ ଶ୍ରୀମନ୍ଦିର ତହବିଲକୁ ଯିବ, ଏବଂ ଏହା ମନ୍ଦିର ତଥା ମନ୍ଦିର ପରିଷରର ଉନ୍ନତି ଲାଗି ବିନିଯୋଗ ହେବା ଏବଂ ସେବାୟତ ମାନଙ୍କଲାଗି ପାଉଣା ଏବଂ କ୍ଷତିପୁରଣ ନିର୍ଦ୍ଧାରିତ ହେବା ପଦକ୍ଷେପ ଖୁବ୍ ସ୍ୱାଗତ ଯୋଗ୍ୟ । ଯଦ୍ୱାରାକି ଭକ୍ତ ଓ ଶ୍ରଦ୍ଧାଳୁମାନେ ବିନା ବାଧାରେ ସାଧାରଣରେ ଶ୍ରୀଜୀଉ ମାନଙ୍କର ଦର୍ଶନ କରିବାରେ କୌଣସି ଅସୁବିଧା ହେବନାହିଁ କିମ୍ବା ସେବାୟତ ମାନଙ୍କ ଜୁଲମ୍ ସହିବାକୁ ପଡ଼ିବ ନାହିଁ । ଏହା ଶ୍ରମନ୍ଦିର ପ୍ରଶାସନ ଧାର୍ଯ୍ୟ କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରରେ ସେବାୟତ ମାନଙ୍କ ଦ୍ୱରା ଜବରଦସ୍ତ ଦାନ ଦକ୍ଷିଣା ଆଦାୟ ଭଳି ଅନୈତିକ ପ୍ରଥାକୁ ବନ୍ଦ କରିବା, ମନ୍ଦିର ପରିସର ପରିସ୍କାର ଓ ପରିଚ୍ଛନତା ବଜାୟ ରଖିବା ଏବଂ ଜବରଦଖଲ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦେଶ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ବିଭିନ୍ନ ତୀର୍ଥକ୍ଷେତ୍ର କରି ପୁରୀରେ ମଧ୍ୟ ଏହି ସବୁ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାର ଉନ୍ନତି ଏବଂ ପ୍ରଚଳିତ ବ୍ୟବସ୍ଥାର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠନ କରାଯାଇଥିବା କମିଟି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଜିଲ୍ଳା ଦୌରା ଜର୍ଜ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କମିଟି ଶ୍ରୀମନ୍ଦିର ସହ ଜଡ଼ିତ ରହି ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ କରାଯାଇ ଏହାର ଉନ୍ନତି କରଣ କରାଯାଇପାରିବ । ଦେଶର ପ୍ରମୁଖ ଧର୍ମାନୁଷ୍ଠାନ, ଧର୍ମଶାଳା ଓ ମନ୍ଦିର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ବିଶେଷଜ୍ଞ କମିଟି ମାନ ଗଠନ କରିବେ । ଶ୍ରୀମନ୍ଦିର ପରିଚାଳନା ଗତ ତୃଟି ସଂଶୋଧନ ସହ ସଂସ୍କାର ଆଣିବା ପାଇଁ କମିଟି ସୁପାରିସ କରିବ । କେନ୍ଦ୍ର ସରକାର ମଧ୍ୟ ଅନୁରୁପ କମିଟି ଗଠନ କରି ଦେଶ ଧର୍ମାନୁଷ୍ଠାନର ପରିଚାଳନା ତଦାରଖ କରିବା ସହିତ ଗଠିତ ଖଣ୍ଡପିଠକୁ ସଂଗୃହିତ ତଥ୍ୟ ମାନ ପ୍ରଦାନ କରି ପରିଚାଳାନାଗତ ବ୍ୟବସ୍ଥାର ତୃଟିର ସଂସ୍କାର ଆଣିଯିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଅଛି ।