Latest

ଟିକେଟ୍ କନଫର୍ମ ନଥିଲେ ରେଳଷ୍ଟେସନକୁ ପ୍ରବେଶ ମନା

Posted on

  • ଭିଡ଼ରୁ ବର୍ତ୍ତିବା ପାଇଁ ୬୦ଟି ଷ୍ଟେସନରେ ହେବ ସ୍ଥାୟୀ ବ୍ୟବସ୍ଥା

  • କ୍ଷମତାଠୁ ଅଧିକ ଟିକେଟ୍ ହେବନି ବିକ୍ରି

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଭିଡ଼ ଓ ଦଳାଚକଟା ଭଳି ଅଭାବନୀୟ ଘଟଣା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମହାକୁମ୍ଭ ପାଇଁ ଦେଶର ୬୦ଟି ପ୍ରମୁଖ ରେଳଷ୍ଟେସନରେ ଅସ୍ଥାୟୀ ଭାବେ ନିର୍ମିତ ୱେଟିଂ ଏରିଆକୁ ଏବେ ସ୍ଥାୟୀ କରାଯାଉଛି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ରେଳ ଷ୍ଟେସନରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଚାରବିମର୍ଶ କରାଯିବା ସହ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶର ୬୦ଟଠି ପ୍ରମୁଖ ଷ୍ଟେସନରେ ସମସ୍ତ ଅନଧିକୃତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି । ପ୍ଲାଟଫର୍ମକୁ କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀ ହିଁ ଆସିବାର ଅନୁମତି ମିଳିବ । ଏହି ପାଇଲଟ୍ ପ୍ରୋଜେକ୍ଟ ଆଧାରରେ ନୂଆଦିଲ୍ଲୀ, ଆନନ୍ଦ ବିହାର, ବାରାଣାସୀ, ଅଯୋଧ୍ୟା ଓ ପାଟନା ଷ୍ଟେସନରେ ଉକ୍ତ ବ୍ୟବସ୍ଥାକୁ ତତ୍କାଳ ପ୍ରଭାବରୁ ଆରମ୍ଭ କରିଦିଆଯାଇଛି । ଟିକେଟର ବିକ୍ରି ମଧ୍ୟ ଟ୍ରେନର କ୍ଷମତା ଅନୁସାରେ କରାଯିବ । ଷ୍ଟେସନରେ ରେଳବାଇ ଷ୍ଟାଫଙ୍କ ନିମନ୍ତେ ଡ୍ରେସ୍ କୋଡ୍ ଲାଗୁ କରାଯିବ । ରେଳବାଇ ଦ୍ୱାରା ଏହି ପରିବର୍ତ୍ତନ ମହାକୁମ୍ଭ ସମୟରେ ନୂଆଦିଲ୍ଲୀ ଷ୍ଟେସନରେ ହୋଇଥିବା ଦଳାଚକଟା ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି ।

ସେହିପରି ବିନା ଟିକେଟ ଅବା ପ୍ରତୀକ୍ଷା କରିଥିବା ଯାତ୍ରୀଙ୍କୁ ଏଣିକି ୱେଟିଂ ଏରିଆରେ ହିଁ ଅଟକାଇ ଦିଆଯିବ । ସେହିପରି ଷ୍ଟେସନର ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଚଉଡ଼ା ଫୁଟଓଭର ବ୍ରିଜ୍ ନିର୍ମାଣ କରାଯିବ । ଏହାର ଲମ୍ବ ୧୨ମିଟର ଓ ଚଉଡ଼ା ୬ମିଟର ହେବ । ସବୁ ଷ୍ଟେସନ ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳ ଉପରେ ନଜର ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାମେରା ମଧ୍ୟ ଲଗାଯିବ । ବଡ଼ ବଡ଼ ଷ୍ଟେସନରେ ୱାରରୁମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଭିଡ଼କୁ ଏହି ୱାରରୁମରୁ ନିୟନ୍ତ୍ରଣ କରାଯିବ । ଆଧୁନିକ ଡିଜାଇନ୍ ବିଶିଷ୍ଟ ଡିଜିଟାଲ ସଂଚାର ଉପକରଣ ସହ ୱାକି-ଟକି ମଧ୍ୟ ଲଗାଯିବ । ଷ୍ଟେସନରେ ଥିବା ରେଳ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ୍ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସେମାନଙ୍କୁ ନୂଆ ଡିଜାଇନର ପରିଚୟ ପତ୍ର ଓ ୟୁନିଫର୍ମ ଦିଆଯିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version