ରାଜନୀତି
ଏକା ଲଢ଼ିବ ବିଜେଡି : ନବୀନ, ଆବଶ୍ୟକତାଠୁ ମିଳିବ ଅଧିକ ବହୁମତ
ଭୁବନେଶ୍ୱର,: “କୌଣସି ଦଳ ସହ ବିଜେଡି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମେଣ୍ଟ କରିବ ନାହିଁ । ତାଙ୍କ ସରକାରର ବିକାଶମୂଳକ କାର୍ଯ୍ୟ ଯୋଗୁ ରାଜ୍ୟବାସୀ ତାଙ୍କ ଦଳକୁ ୨୦୧୯ ମସିହାରେ ପୁଣିଥରେ କାର୍ଯ୍ୟ କରିବାକୁ ସୁଯୋଗ ଦେବେ ବୋଲି ସେ ଦୃଢ଼ ନିଶ୍ଚିତ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଢଙ୍ଗରେ ନିଜ ମନକଥା କହିବା ସହ ନିର୍ବାଚନରେ ଏକାକୀ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ବିଜେପିର ‘ମିଶନ-୧୨୦’ ଉପରେ ଜବାବ ରଖି କହିଛନ୍ତି ଯେ , ଏଭଳି କୌଣସି ପରିସଂଖ୍ୟାନ ଭିତରକୁ ସେ ପଶିବାକୁ ଚାହୁଁନାହାନ୍ତି । ନିର୍ବାଚନ ପାଇଁ ତାଙ୍କର କୌଣସି ମିଶନ୍ ନାହିଁ କି ସେଭଳି ପରିସଂଖ୍ୟାନକୁ ପସନ୍ଦ କରେନି । ସେ ସଂଖ୍ୟାରେ ନୁହେଁ ବିଜୟରେ ବିଶ୍ୱାସ କରନ୍ତି । ୨୦୧୯ ନିର୍ବାଚନରେ ଆବଶ୍ୟକତାଠୁ ଅଧିକ ବହୁମତ ମିଳିବ ବୋଲି ଦୃଢ଼ ଆଶାବାଦୀ । ତାଙ୍କ ଦଳ ଆସନ୍ତା ନିର୍ବାଚନରେ ଏକାକୀ ଲଢ଼ିବ । କୌଣସି ଦଳ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମେଣ୍ଟ କରିବ ନାହିଁ । ବିଜେପି ଓ କଂଗ୍ରେସଠାରୁ ସମଦ୍ୱରତ୍ୱ ଆଭିମୁଖ୍ୟ ବଜାୟ ରହିବ । ସେହିପରି ନିଜର ପ୍ରତ୍ୟେକ ଟ୍ୱିଟ୍ ଶେଷରେ ‘ଜୟ ଜଗନ୍ନାଥ ’ ଲେଖିବା ପଛର ରହସ୍ୟ ଉପରୁ ପରଦା ହଟାଇ ନବୀନ କହିଛନ୍ତି ଯେ, ସେ ଆଧ୍ୟାତ୍ମିକତାରେ ଓ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ସହ ରାଜ୍ୟର ଲୋକମାନେ ଭାବନାତ୍ମକ ଭାବେ ଜଡ଼ିତ ବୋଲି ନବୀନ କହିଛନ୍ତି । ସେହିପରି ରାଜନେତାଙ୍କ ଦ୍ୱାରା ପରସ୍ପର ପ୍ରତି ବ୍ୟକ୍ତିଗତ ଟିପ୍ପଣୀ ପ୍ରସଙ୍ଗରେ ନବୀନ କହିଛନ୍ତି ଯେ, ଆଜିପର୍ଯ୍ୟନ୍ତ ସେ ତାଙ୍କ ଭାଷଣରେ କାହାରି ନାଁ ନେଇ ବ୍ୟକ୍ତିଗତ ଟିପ୍ପଣୀ କରିନାହାନ୍ତି । ଏଭଳି ଆଚରଣ ଖରାପ ଓ ସର୍ବଦା ଅଗ୍ରହଣୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ‘ଥ୍ରୀ-ଟି’ ଭଳି ଶବ୍ଦ ଉପଯୋଗ କରୁଥିବା ପ୍ରଶ୍ନକୁ ଖାରଜ କରି ନବୀନ କହିଛନ୍ତି ଯେ, ଏସବୁ ଶବ୍ଦ ବହୁଳ ଭାବେ ସାଧାରଣରେ ବ୍ୟବହାର ହେଉଛି । ମୁଖ୍ୟମନ୍ତ୍ରୀ ଭାବେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବା ସମ୍ପର୍କିତ ପ୍ରଶ୍ନରର ଉତ୍ତରରେ ନବୀନ କହିଛନ୍ତି ଯେ, ସେ ଏଭଳି ରେକର୍ଡକୁ ବିଶ୍ୱାସ କରନ୍ତି ନାହିଁ । ରାଜ୍ୟରେ କୃଷକଙ୍କ ଉପାର୍ଜନ ବୃଦ୍ଧି ପଛରେ କ’ଣ କୁକୁହ ବାଡ଼ି ତାଙ୍କ ପାଖରେ ରହିଛି ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଉପଯୁକ୍ତ ଯୋଜନା ଓ କାର୍ଯ୍ୟକାରିତା ମାଧ୍ୟମରେ ଏହା ସମ୍ଭବପର ହୋଇଛି । ମାତ୍ର ୯ମାସ ମଧ୍ୟରେ ଏସିଆନ୍ ଆଥ୍ଲେଟିକ ଚାମ୍ପିଅନ୍ସିପ୍ ହୋଇପାରିଲା । ଏତେ ଶୀଘ୍ର ଏଭଳି ସଫଳ ଆୟୋଜନ ରାଜ୍ୟରେ ପ୍ରଶାସନିକ କଳର ପାରିବାପଣିଆ ପ୍ରମାଣ ଦେଉଛି । ନିଜ ସରକାରର ସଫଳତା ସମ୍ପର୍କରେ ସୂଚନା ଦେଇ ନବୀନ କହିଛନ୍ତି ଯେ, ତାଙ୍କ ସରକାର ଅନେକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଚଳାଉଛନ୍ତି । ୧୦ବର୍ଷ ମଧ୍ୟରେ କୃଷକଙ୍କ ଆୟକୁ ଦ୍ୱିଗୁଣ ବୃଦ୍ଧି କରାଯାଇଛି, ଖାଦ୍ୟ ସୁରକ୍ଷା ଯୋଜନାରେ ବିପିଏଲ୍ ବର୍ଗର ଲୋକଙ୍କୁ ୧ଟଙ୍କା ଦରରେ ୨୫କିଲୋ ଚାଉଳ, ୨ବର୍ଷ ମଧ୍ୟରେ ୧୦ ଲକ୍ଷ ପକ୍କା ଘର ଓ ଆସନ୍ତା ବର୍ଷକ ମଧ୍ୟରେ ଆଉ ୧୦ଲକ୍ଷ ଘର ନିର୍ମାଣ ହୋଇସାରିଛି । ରାଜ୍ୟରେ କେହି କଚ୍ଚା ଘରେ ରହିବେ ନାହିଁ । ୧୯୯୯ ମହାବାତ୍ୟା ପରେ ୨୦୦୦ ମସିହାରେ ସେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟକୁ ବାତ୍ୟା ଓ ବନ୍ୟା ଦାଉରୁ ସୁରକ୍ଷା ପାଇଁ ବ୍ୟବସ୍ଥା ବିକଶିତ କରାଯାଇ ପାରିଛି । ୩ବର୍ଷ ତଳେ ରାଜ୍ୟ ସରକାରଙ୍କ ଦ୍ୱାରା ବାତ୍ୟା ‘ପାଇଲିନ୍’ର ସଫଳ ମୁକାବିଲାକୁ ଜାତିସଂଘ ପ୍ରଶଂସା କରିସାରିଛନ୍ତି । ରାଜ୍ୟର ଲୋକଙ୍କ ବିକାଶ ପାଇଁ କଠିନ ପରିଶ୍ରମ ଜାରି ରହିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଆଜି ଇଣ୍ଡିଆନ୍ ଏକ୍ସପ୍ରେସର ଲିଟେରାରି ଫେଷ୍ଟିଭାଲ୍ ଉଦ୍ୟାପନୀ ଉତ୍ସବରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି ।