ରାଜ୍ୟ

କର୍ମଚାରୀଙ୍କୁ ଦରମା ଦେବାର ବାଟ ଫିଟିଲା

Posted on

ଭୁବନେଶ୍ୱର : ୧୫ଦିନ ବିତିଯାଇଥିଲେ ବି ମାର୍ଚ୍ଚ ମାସର ଦରମା ପାଇନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆଜି ରାଜ୍ୟ ସରକାର ସର୍ତ୍ତ କୋହଳ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷର ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ(ଏଇଆର୍) ଦାଖଲ ନକରି ମଧ୍ୟ ଏଚ୍ଆରଏମ୍ଏସ୍ ସଫ୍ଟୱେୟାରରେ ମାର୍ଚ୍ଚ ମାସର ଦରମା ବିଲ୍ ପୈଠ କରାଯାଇପାରିବ ବୋଲି ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନ୍କାନ୍ତ ପାଣ୍ଡେ କହିଛନ୍ତି । ଆଜି ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଶ୍ରୀ ପାଣ୍ଡେ କହିଛନ୍ତି ଯେ, ବାଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଅନ୍ଲ।।ଇନ୍ରେ ଦାଖଲ ବିନା ମାର୍ଚ୍ଚ ମାସର ଦରମା ଏଚ୍ଆରଏମ୍ଏସ୍ ସର୍ଭରରେ ଜେନେରେଟ୍ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଏକ ଚିଠି ସମସ୍ତଙ୍କୁ ଜାରି କରାଯାଇଥିଲା । କିନ୍ତୁ ଏଚ୍ଆରଏମ୍ଏସ୍ ସର୍ଭରରେ ସମସ୍ୟା ଯୋଗୁ ଅନେକ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନେ ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଅନ୍ଲାଇନ୍ରେ ଦାଖଲ କରିପାରିନାହାନ୍ତି । ଯେହେତୁ କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ ହେଲାଣି, ତେଣୁ ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଦାଖଲ ବିନା ମାର୍ଚ୍ଚ ମାସର ବିଲ୍ ଅନ୍ଲାଇନ୍ରେ ଏଚ୍ଆରଏମ୍ଏସ୍ରେ ପୈଠ କରିବାକୁ ପରାମର୍ଶ ଦିଆଯାଉଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି । ଅନ୍ୟପକ୍ଷରେ ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଚ୍ଆରଏମ୍ଏସ୍ ସର୍ଭର ମାଧ୍ୟମରେ ଅନ୍ଲାଇନ୍ରେ ଦରମା ବିଲ୍ ଦାଖଲ ହେବା ପରେ କର୍ମଚାରୀମାନେ ସେମାନଙ୍କର ମାସିକ ଦରମା ପାଇବାରେ ସମସ୍ୟା ହେବ ନାହିଁ । ଦରମା ବିଲ୍ ଦାଖଲ ହେବାର ୨-୩ ଦିନ ମଧ୍ୟରେ କର୍ମଚାରୀମାନେ ଦରମା ପାଇବେ । ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ସାଢ଼େ ୪ଲକ୍ଷ ନିୟମିତ ଓ ସାଢ଼େ ୩ଲକ୍ଷ ପେନ୍ସନ୍ଭୋଗୀ ଏପର୍ଯ୍ୟନ୍ତ ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version