ନୂଆଦିଲ୍ଲୀ :ଗୁଜରାଟରେ ଦୁଇ ପର୍ଯ୍ୟାୟରେ ମୋଟ ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ କମିଶନ ଅଚଳ କୁମାର ଜ୍ୟୋତି ବୁଧବାର ଏହି ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ସହ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଡିସେମ୍ବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ଓ ଡିସେମ୍ବର ୧୪ରେ ବାକି ୯୩ଟି ଆସନରେ ମତଦାନ ଗ୍ରହଣ କରାଯିବ । ଡିସେମ୍ବର ୧୮ତାରିଖରେ ଭୋଟ୍ ଗଣତି ହେବ । ଭୋଟ୍ଗ୍ରହଣ ପାଇଁ ରାଜ୍ୟରେ ମୋଟ ୫୦,୧୨୮ଟି ପୋଲିଂ ବୁଥ ସ୍ଥାପନ କରାଯିବ ଓ ପ୍ରାୟ ୪ କୋଟି ୩୩ଲକ୍ଷ ଲୋକ ନିଜର ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନରେ ଭିଭିପାଟ୍ ମେସିନର ଉପଯୋଗ କରାଯିବ । ନିର୍ବାଚନ କାର୍ଯ୍ୟରେ ମୋଟ ୨୬,୪୪୩ଜଣ ସରକାରୀ କର୍ମଚାରୀ ନିୟୋଜିତ ହେବେ । ପ୍ରଥମଥର ପାଇଁ ୧୦୨ଟି ବୁଥ୍ରେ ମହିଳା ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୨୮ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ ବୋଲି ଶ୍ରୀ ଜ୍ୟୋତି ଘୋଷଣା କରିଛନ୍ତି । ନିର୍ବାଚନବେଳେ ସମ୍ବେଦନଶୀଳ ବୁଥ୍ର ଭିଡିଓ ରେକର୍ଡିଂ କରାଯିବା ସହ ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଇଭିଏମ୍ ରହୁଥିବା ଷ୍ଟ୍ରଙ୍ଗରୁମ୍ର ଭିଡିଓ ରେକର୍ଡିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ପ୍ରସଙ୍ଗରେ ଶ୍ରୀ ଜ୍ୟୋତି କହିଛନ୍ତି ଯେ ରାଜ୍ୟରେ ବନ୍ୟା ପାଇଁ ରିଲିଫ ବଂଟନ କାର୍ଯ୍ୟରେ କର୍ମଚାରୀମାନେ ନିୟୋଜିତ ଥିବା ସମ୍ପର୍କରେ ରାଜ୍ୟ ସରକାର ସୂଚିତ କରିଥିଲେ । ତେଣୁ ତାରିଖ ଘୋଷଣା ହେବାରେ ବିଳମ୍ବ ହେଲା ।
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ
ଆମେରିକାରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି। ଯଦିଓ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୋଟ ୮ ଜଣ ପ୍ରାର୍ଥୀ ଅଛନ୍ତି, ତଥାପି ମୁଖ୍ୟ...