ରାଜ୍ୟ
ଚାଷୀ ପରିବାରର ମାସିକ ଆୟ ୧୪୦୭ ଟଙ୍କା
ଭୁବନେଶ୍ୱର : ରାଜ୍ୟରେ କେବଳ କୃଷି କ୍ଷେତ୍ରରୁ ଚାଷୀ ପରିବାରର ଆୟ ମାସିକ ହାରାହାରି ୧୪୦୭ ଟଙ୍କା ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।
ବିଧାନସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଜାତୀୟ ନମୂନା ସର୍ଭେ ରିପୋର୍ଟ ୨୦୧୨-୧୩ ଅନୁସାରେ ରାଜ୍ୟର ଚାଷୀ ପରିବାରର ହାରାହାରି ମାସିକ ଆୟ ୧୪୦୭ଟଙ୍କା ଥିବାବେଳେ ପଞ୍ଜାବରେ ଚାଷୀ ପରିବାରର ଆୟ ସର୍ବାଧିକ ୧୦,୮୬୨ ଟଙ୍କା ରହିଛି । କେବଳ କୃଷି କ୍ଷେତ୍ରରୁ ଚାଷୀ ପରିବାରର ମାସିକ ଆୟ କ୍ଷେତ୍ରରେ ଓଡ଼ିଶାଠାରୁ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ଢେର୍ ଆଗରେ ରହିଛନ୍ତି । ହରିଆଣାରେ ଚାଷୀଙ୍କ ମାସିକ ଆୟ ୭,୮୬୭ଟଙ୍କା ଥିବାବେଳେ କର୍ଣ୍ଣାଟକରେ ୪୯୩୦ ଟଙ୍କା, ଛତିଶଗଡ଼ରେ ୩୩୪୭ଟଙ୍କା, ମହାରାଷ୍ଟ୍ରରେ ୩୮୫୬ ଟଙ୍କା, କେରଳରେ ୩୫୩୧ ଟଙ୍କା, ରାଜସ୍ଥାନରେ ୩୧୩୮ ଟଙ୍କା ଓ ଆସାମରେ ୪୨୧୧ ଟଙ୍କା ରହିଛି । ତେବେ କେବଳ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଚାଷୀ ପରିବାରର ଆୟ କ୍ଷେତ୍ରରେ ଓଡ଼ିଶା ଅନ୍ୟାନ୍ୟ ରାଜ୍ୟଠୁ ପଛରେ ରହିଛନ୍ତି । ସେହିପରି କୃଷି ସମେତ ଅନ୍ୟାନ୍ୟ ସୂତ୍ରରୁ ଆୟକୁ ମିଶାଇ ଓଡ଼ିଶାରେ ଚାଷୀ ପରିବାରର ମାସିକ ଉପାର୍ଜନ ହାରାହାରି ୪୯୭୬ ଟଙ୍କା ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି । ତେବେ ଚାଷୀ ପରିବାରର ସବୁ କ୍ଷେତ୍ରର ଉପାର୍ଜନକୁ ମିଶାଇଲେ ସାମଗ୍ରିକ ମାସିକ ହାରାହାରି ଆୟ ପଞ୍ଜାବରେ ୧୮,୦୫୯ଟଙ୍କା ଥିବାବେଳେ ହରିଆଣାରେ ୧୪,୪୩୪ଟଙ୍କା,କେରଳରେ ୧୧୮୮୮ ଟଙ୍କା, କର୍ଣ୍ଣାଟକରେ ୮୮୩୨ ଟଙ୍କା, ମହାରାଷ୍ଟ୍ରରେ ୭୩୮୬ଟଙ୍କା, ରାଜସ୍ଥାନରେ ୭୩୫୦ଟଙ୍କା ଓ ଗୁଜରାଟରେ ୭୯୨୬ଟଙ୍କା ରହିଛି ବୋଲି ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାରାଥୀ ଏହା କହିଛନ୍ତି ।