Latest

ଲୋଗୋ ହଟାଇବାକୁ କେନ୍ଦ୍ରର ଚିଠି: ବିଜେଡିର ତୀବ୍ର ପ୍ରତିକ୍ରିୟା

Posted on

ଭୁବନେଶ୍ୱର, ଓଡ଼ିଶା ୱେୟାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ବିଜୁ ପକ୍କାଘର ଯୋଜନାର ଲୋଗୋ ନଲଗାଇବାକୁ କେନ୍ଦ୍ର ସରକାରଙ୍କ ଚିଠି ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳ ସିଧାସଳଖ ଏଥିପାଇଁ ବିଜେପିକୁ ଦାୟୀ କରିବା ସହ ବିଜେପି ସାଂସଦମାନେ ରାଜ୍ୟରେ ଗୃହନିର୍ମାଣ ଯୋଜନାକୁ ବନ୍ଦ କରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।୫ ବର୍ଷ ଭିତରେ ଓଡ଼ିଶା ୧୫.୭୩ଲକ୍ଷ ଗୃହ ନିର୍ମାଣ କରିଛି ଏବଂ ଏ ବାବଦରେ କେନ୍ଦ୍ର ସରକାର ୧୨,୯୨୮କୋଟି ୯ଲକ୍ଷ ଟଙ୍କା ଦେଇଥିବାବେଳେ ଓଡ଼ିଶା ସରକାର ୮୫୧୮କୋଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପାଖାପାଖି ଏକ ବର୍ଷେରୁ ଅଧିକ ସମୟଧରି ଏହି ଯୋଜନାକୁ ବନ୍ଦ କରାଯାଇଛି । ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ପରିମାଣର ଗୃହ ଯୋଗାଇ ଦିଆଯାଉଥିବାବେଳେ ଓଡ଼ିଶା ପାଇଁ ପାତରଅନ୍ତର କରାଯାଉଛି ବୋଲି ସେ କହିଛନ୍ତି।

ସେହିପରି ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ରହିବା ଆବଶ୍ୟକ ଓ ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ବିଜେପି ସାଂସଦମାନେ ଗରିବଙ୍କ ମୁଣ୍ଡରେ ଛାତ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନାକୁ ବନ୍ଦ କରିବାର ଷଡ଼ଯନ୍ତ୍ର କରିଛନ୍ତି। ଓଡ଼ିଶାର ୩୦ହଜାର ଗାଁର ଲୋକେ ଏହି ଯୋଜନା ଦ୍ୱାରା ଉପକୃତ ହେଉଥିବାବେଳେ ୩୦୦ ଗାଁ’ରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ଓଡ଼ିଶାର ଗରିବ ଲୋକଙ୍କର ହକ୍‌କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version