Latest

୧୫ ଲୋକସଭା, ୭୫ ବିଧାନସଭା ଆସନ ଜିତିବୁ: ଅମିତ୍ ଶାହ

Posted on

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଧାନସଭା ଓ ଲୋକସଭା ସିଟ୍ ର ଆକଳନ ଦେଇଛନ୍ତି ବିଜେପିର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହ । ରାଉରକେଲାରେ ଏକ ପ୍ରଚାର ସଭାରେ ସେ କହିଛନ୍ତି, ଓଡ଼ିଶାରେ ବିଜେପି ଏଥର ୭୫ ରୁ ଅଧିକ ବିଧାନସଭା ଆସନ ଏବଂ ୧୫ ରୁ ଅଧିକ ଲୋକସଭା ଆସନରେ ଜିତିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏବଂ କେନ୍ଦ୍ରରେ ୪୦୦ ରୁ ଅଧିକ ଆସନ ପାଇ ତୃତୀୟ ଥର ପାଇଁ ବିଜେପି ସରକାର ଗଢ଼ିବ ବୋଲି ସେ ଦୃଢ଼ତା ଦେଖାଇଛନ୍ତି ।ଶ୍ରୀ ଶାହ କହିଛନ୍ତି, ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି । ଏଥର ମୋଦିଜୀ ୪୦୦ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି । କେନ୍ଦ୍ର ସହ ଓଡ଼ିଶାର ବି ବିଜେପି ସରକାର ଗଠନ ହେବ । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ୧୫ରୁ ଅଧିକ ଲୋକସଭା ଏବଂ ୭୫ ରୁ ଅଧିକ ବିଧାନସଭା ଆସନ ଜିତିବ ବିଜେପି । ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଞ୍ଜିନ ଗଡ଼ିବ ବୋଲି କହିଥିଲେ ଶାହା ।ବିଜେଡି ସରକାରଙ୍କୁ ଆକ୍ରମଣ କରି ଶାହ କହିଥିଲେ ଯେ ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି । ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି । ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ଦରକାର । ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ । ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି କହିଥିଲେ ।ସୂଚନାଯୋଗ୍ୟ, ୨୦୧୯ ରେ ବିଜେପି ଓଡ଼ିଶାରେ ମିଶନ ୧୨୦+ ଅଭିଯାନ ଚଳାଇଥିଲା । ଓଡ଼ିଶାକୁ ବାରମ୍ବାର ନିର୍ବାଚନ ପ୍ରଚାରରେ ଆସିଥିବା ଶ୍ରୀ ଶାହ ବିଜେପି ଏଠି ୧୨୦ରୁ ଅଧିକ ଆସନ ନିଶ୍ଚିତ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।ଆଜି ଓଡ଼ିଶାରେ ଅମିତ୍ ଶାହଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଭୁବନେଶ୍ୱରର ସାଲିଆ ସାହିରେ ବିଜେପି ସାଂସଦ ହେମାମାଳିନୀ ପ୍ରଚାର କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version