ବୁହାନ: ଚୀନର ବୁହାନ ସହରରେ କରୋନା ମହାମାରୀର ରିପୋର୍ଟିଂ କରୁଥିଲେ ବୋଲି ଚୀନର ଜଣେ ସାମ୍ବାଦିକାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଛି। ତାଙ୍କ ନାଁ ଝାଙ୍ଗ୍ ଝାନ୍। ଜେଲରେ ବନ୍ଦ ଥିବା ଝାଙ୍ଗ୍ ଝାନ୍ ଏବେ ଆମରଣ ଅନଶନ ଆରମ୍ଭ କରି ଦେଇଛନ୍ତି, ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଛି ଏବଂ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗତବର୍ଷ ଫେବୃୟାରୀ ମାସରେ ଝାଙ୍ଗ୍ ଝାନ୍ ଚୀନର ବୁହାନ ସହରରେ ପହଞ୍ଚି ଥିଲେ। ସେହି ସମୟରେ ବ୍ୟାପିଥିବା କରୋନା ମହାମାରୀକୁ ନେଇ ସେଠାରୁ ସେ ରିପୋର୍ଟିଂ କରିଥିଲେ ଏବଂ ଏଥିସହ ମହାମାରୀର ପ୍ରସ୍ତୁତିକୁ ନେଇ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ଏତିକି ନୁହେଁ, ସାମ୍ବାଦିକା ଜଣକ ନିଜ ମୋବାଇଲ ଫୋନରୁ କିଛି ଭିଡିଓ ମଧ୍ୟ ରେକର୍ଡ କରିଥିଲେ, ଯାହା ପରେ ଗତବର୍ଷ ମେ’ରେ ଝାଙ୍ଗ୍ଙ୍କୁ ଗିରଫ କରି ନିଆଯାଇଥିଲା।
ଚୀନର ସଂଘାଇରୁ ଝାଙ୍ଗ୍ଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଭିଡିଓ ଏବଂ ଟେକ୍ସଟ ଜରିଆରେ ମିଥ୍ୟା ସୂଚନା ପ୍ରସାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଡିସେମ୍ବରରେ ଚୀନର ଏହି ଲୋକ ସାମ୍ବାଦିକା ଝାଙ୍ଗ୍ ଝାନଙ୍କୁ ଝଗଡ଼ା କରିବା ଏବଂ ସମସ୍ୟା ସୃଷ୍ଟି କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାମଲାରେ ତାଙ୍କୁ ୪ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଥିଲା। ଏକ ସମାଚାର ଏଜେନ୍ସିର ରିପୋର୍ଟ ମୁତାବକ, ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଝାଙ୍ଗ୍ଙ୍କ ଓକିଲ ଟିମ୍ ଏଜେନ୍ସିକୁ କହିଥିଲେ କି, ସେ ଜେଲରେ ବନ୍ଦ ହେବା ପରଠାରୁ ହିଁ ଆମରଣ ଅନଶନରେ ଅଛନ୍ତି ଏବଂ ତାଙ୍କୁ ପାଇପ୍ ଜରିଆରେ ନାକରେ ଖାଦ୍ୟ ଖୁଆଇବାକୁ ଚେଷ୍ଟା କରାଯାଉଛି। ଯଦିଓ ତାଙ୍କ ଲିଗାଲ ଟିମ୍ ପାଖରେ ଝାଙ୍ଗ୍ଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ କୌଣସି ସୂଚନା ନାହିଁ।