ନୂଆଦିଲ୍ଲୀ, : ମିଶାଇଲ, ତୋପ ଏବଂ ରକେଟ୍ ମାଡ଼ ପରେ ଏବେ ରୁଷ-ୟୁକ୍ରେନ୍ ଯୁଦ୍ଧ ନୂଆ ବୀଭିଷିକା ଦେଖିବାର ଆଶଙ୍କା ଉପୁଜିଲାଣି । ଯୁଦ୍ଧ ହୋଇପାରେ ଆହୁରି ଭୟଙ୍କର । କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ରର ପ୍ରୟୋଗ ଆଣିପାରେ ହାହାକାର । ସେପଟେ ଶରଣାର୍ଥୀ ପାଲଟିଥିବା ହଜାର ହଜାର ୟୁକ୍ରେନବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ଶରଣାର୍ଥୀମାନେ ମାନବଚାଲାଣ ରାକେଟ୍ ର ଶିକାର ହେବା ଭଳି ଗମ୍ଭୀର ସ୍ଥିତି ଉପୁଜିଲାଣି ।
କେମିତି ଥମିବ ଯୁଦ୍ଧ, ସେନେଇ ସାରା ଦୁନିଆ ଆଶା କରି ବସିଥିବା ବେଳେ ପୁଣିଥରେ ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି । ରୁଷ ୟୁକ୍ରେନ୍ ଯୁଦ୍ଧ ହୋଇପାରେ ଆହୁରି ଭୟଙ୍କର । କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ରର ବ୍ୟବହାର ଆଣିପାରେ ହାହାକାର । ଏଯାଏଁ ତୋପ, କମାଣ, ଟ୍ୟାଙ୍କ ଏବଂ ମିଶାଇଲ୍ ରେ ଚାଲିଛି ହମଲା । ଏଥିରେ ସହର ପରେ ସହର ପାଲଟି ଯାଉଛି ଧ୍ବଂସସ୍ତୁପ । କିନ୍ତୁ ଏହାଠାରୁ ଆହୁରି ଭୟଙ୍କର ହୋଇପାରେ କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ର । ରୁଷର ଅଭିଯୋଗ, ଆମେରିକା ସହ ମିଶି ୟୁକ୍ରେନ୍ ତିଆରି କରୁଛି କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ର । ସେପଟେ ୟୁକ୍ରେନ୍ କହିଛି, ଆଉ ଉପରେ ଯଦି ରୁଷ ଏସବୁ ମାରାତ୍ସକ ଅସ୍ତ୍ର ପ୍ରୟୋଗ କରେ ତେବେ ରୁଷକୁ ଭୋଗିବାକୁ ପଡିବ ପରିଣାମ । ସେପଟେ ଆମେରିକା ଅଭିୟୋଗ କରି କହିଛି, ଚେର୍ନୋହିବ ଆଣବିକ କେନ୍ଦ୍ର ଦଖଲ କରିବା ପଛରେ ବଡ କାରଣ ହେଉଛି ୟୁକ୍ରେନ୍ ଉପରେ କେମିକାଲ ଅସ୍ତ୍ର ପ୍ରୟୋଗ କରିବା ।
କେମିକାଲ୍ ଅସ୍ତ୍ରରେ ବ୍ୟବହାର ହୁଏ ବିଷାକ୍ତ ରାସାୟନିକ । ବାୟୋଲୋଜିକାଲ୍ ଅସ୍ତ୍ରରେ ବ୍ୟବହାର ହୁଏ ମାରାତ୍ମକ ଭାଇରସ୍ ଏବଂ ବ୍ୟାକ୍ଟେରିଆ । ଏସବୁ ଅସ୍ତ୍ରରେ ଯୁଦ୍ଧ ହେଲେ, ଲୋକ ଡହଳ ବିକଳ ହୋଇ ପ୍ରାଣ ହରାଇବେ । ଅନେକ ବର୍ଷ ଧରି ଶାରୀରିକ ଏବଂ ମାନସିକ ରୂପେ ଶିଶୁ ଜନ୍ମ ହେବା ଆଶଙ୍କା ବି ରହିଛି । ବାୟୋଲୋଜିକାଲ୍ ଅସ୍ତ୍ର ମଣିଷ, ଜୀବଜନ୍ତୁ ଏପରିକି ଗଛଲତାଙ୍କୁ ମଧ୍ୟ ରୋଗାକ୍ରାନ୍ତ କରିପାରେ ।
ଶୀଘ୍ର ଯୁଦ୍ଧ ଥମିବା ନେଇ ଯେତିକି ଆଶା ସୃଷ୍ଟି ହେଉଛି , ଯୁଦ୍ଧ ସେତିକି ଭୀଷଣ ହେବାରେ ଲାଗିଛି । ୟୁକ୍ରେନ୍ ର ଅଧିକାଂଶ ସହର ଜଳୁଛି । ରୁଷ-ୟୁକ୍ରେନ୍ ଯୁଦ୍ଧର ଆଜି ୧୮ଦିନ । ରୁଷ ସେନା ଅନବରତ ବୋମା ବର୍ଷା କରୁଛି । ସରକାରୀ ଅଫିସଠାରୁ ଆରମ୍ଭ କରି ଶହ ଶହ ଜନବସତି ପାଲଟିଯାଇଛି ଧ୍ବଂସ ସ୍ତୁପ । ଚେର୍ନୋହିବ ସହରରେ ହମଲା ତୀବ୍ର କରିଛି ପୁଟିନ୍ ସେନା । ସହରର ଅନେକ ବଡ ବଡ କୋଠା ହୁତ ହୁତ ହୋଇ ଜଳୁଥିବା ଦୃଶ୍ୟ ଡରାଇବା ଭଳି । ରାଜଧାନୀ କିଭ ଦଖଲ ପାଇଁ ରୁଷ ରଣନୀତି ପ୍ରସ୍ତୁତ କରୁଛି । ଏପରିକି ମିଛ ଆଣବିକ ହମଲା କରି ଏହି ବାହାନାରେ ୟୁକ୍ରେନ୍ କୁ ବଦନାମ କରିବା ସହ ଜୋରଦାର ହମଲା କରିବାକୁ ପ୍ଲାନ କରିଛି ରୁଷ ।