ନୂଆଦିଲ୍ଲୀ : ପାନାମା ପେପର ଦୁର୍ନୀତି ମାମଲାରେ ପାକିସ୍ତାନ ସୁପ୍ରିମ କୋର୍ଟ ଆଜି ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହିତ ତାଙ୍କୁ ସଂସଦୀୟ ସଭ୍ୟପଦରୁ ଆଜୀବନ ଅଯୋଗ୍ୟ ଘୋଷଣା କରିଛନ୍ତି। କୋର୍ଟ ରାୟ ପରେ ସରିଫ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
କ୍ଷମତାରେ ଥିବା ବେଳେ କୋଟି କୋଟି ଡଲାର ହେରଫେର କରି ୬୭ ବର୍ଷୀୟ ସରିଫ ବିଦେଶରେ ପରିବାର ପାଇଁ ସଂପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୁପ୍ରିମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଆସିଫ ସଇଦ ଖୋସାଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦପାଇଁ ସରିଫ ଯୋଗ୍ୟ ନୁହନ୍ତି। ପାକ୍ ଅର୍ଥମନ୍ତ୍ରୀ ଇସାକ ଦରଙ୍କୁ ମଧ୍ୟ କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହାସହିତ ଏହି ମାମଲାରେ ସରିଫଙ୍କ ଝିଅ ମରିୟମ ଏବଂ ଦୁଇ ପୁଅ ହସନ ଓ ହୁସେନଙ୍କ ଭୂମିକା ଥିବାରୁ ସେମାନଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଝିଅ ମରିୟମଙ୍କୁ ନଓ୍ଵାଜଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ବିଚାର କରାଯାଉଥିଲା। ଏବେ ମରିୟମଙ୍କୁ ମଧ୍ୟ କୋର୍ଟ ଅଭିଯୁକ୍ତ ଘୋଷଣା କରିଥିବାରୁ ନଓ୍ଵାଜ ତାଙ୍କ ସ୍ଥାନରେ ତାଙ୍କ ସାନଭାଇ ସାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ସାହବାଜ ଏବେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି।
ସୂଚନାଯୋଗ୍ୟ, ପାନାମା ଭିତ୍ତିକ ଏକ ଆଇନ ଫାର୍ମ ମୋସାକ ଫନସେକା ବିଦେଶରେ ସରିଫଙ୍କ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ନେଇ ୨୦୧୬ ଏପ୍ରିଲରେ ତଥ୍ୟ ପ୍ରକାଶ କରିବା ପରେ ସେବେଠାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସରିଫଙ୍କ ଉପରେ ଚାପ ପଡ଼ିଥିଲା। ଅଭିଯୋଗ ହୋଇଥିଲା ଯେ ସରିଫଙ୍କ ପରିବାର ଲଣ୍ଡନରେ ବେଆଇନ ଭାବେ କୋଟି କୋଟି ଡଲାରର ସଂପତ୍ତି ଠୁଳ କରିଥିଲେ। ସରିଫ ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟି ନେତା ଇମରାନ ଖାନ ଏହାର ତଦନ୍ତ ନିମନ୍ତେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ସରିଫଙ୍କ ଦରିଆପାରି ସମ୍ପତ୍ତି ଅଭିଯୋଗର ତଦନ୍ତ ନିମନ୍ତେ ମିଳିତ ତଦନ୍ତକାରୀ ଟିମ୍ (ଜେଆଇଟି)ଗଠନ କରିଥିଲା। ସରିଫ ପରିବାରର ଆୟ ଓ ଚଳଣି ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ଜେଆଇଟି ରିପୋର୍ଟ ଦେଇଥିଲା।
କୋର୍ଟ ରାୟ ଓ ସରିଫଙ୍କ ଇସ୍ତଫା ପରେ ପାକିସ୍ତାନରେ ଘୋର ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ସମସ୍ତଙ୍କ ନଜର ଏବେ ସେନା ଉପରେ ଥିବା ବେଳେ ଶାସକ ପାକିସ୍ତାନ ମୁସଲିମ ଲିଗ୍(ଏନ୍) ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ନଓ୍ଵାଜଙ୍କ ସାନଭାଇ ସାହବାଜ ସରିଫଙ୍କୁ ନେତା ନିର୍ବାଚିତ କରିଥିବା ଜଣାପଡ଼ିଛି। ଆସନ୍ତା ୨୦୧୮ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଥିବାରୁ ସାହବାଜ ସରିଫ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି ହୋଇଥିବା ଦଳ ପକ୍ଷରୁ ମତପ୍ରକାଶ ପାଇଛି।
ପାକିସ୍ତାନର ୭୦ ବର୍ଷ ଇତିହାସରେ ଦ୍ୱିତୀୟ ଥର ପାଇଁ ସୁପ୍ରିମ କୋର୍ଟ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆଯୋଗ୍ୟ ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନିଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଫାଇଲ ପୁଣି ଖୋଲିବା ଲାଗି ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଗିଲାନି ପାଳନ କରିନଥିଲେ। ତେଣୁ ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରାଯାଇଥିଲା।
ଏହାସହିତ ଦେଶର କୌଣସି ପ୍ରଧାନମନ୍ତ୍ରୀ ସେମାନଙ୍କର ୫ ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ହିସାବରେ ପ୍ରଥମ କାର୍ଯ୍ୟକାଳ ବେଳେ ସରିଫଙ୍କୁ ୧୯୯୩ରେ ରାଷ୍ଟ୍ରପତି ବରଖାସ୍ତ କରିଥିଲେ। ଏହାପରେ ୧୯୯୯ରେ ତାଙ୍କୁ ବରଖାସ୍ତ କରି କ୍ଷମତା ହାତେଇଥିଲା ସେନା ବାହିନୀ। ନଓ୍ଵାଜ ପ୍ରଥ ଥର ଲାଗି ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ରାଷ୍ଟ୍ରପତି ଗୁଲାମ ଇସାକ ଖାଁ ତାଙ୍କୂ ୧୯୯୩ରେ ବରଖାସ୍ତ କରିଥିଲେ। ସେହିଭଳି ୧୯୯୭ରେ ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେନାଧ୍ୟକ୍ଷ ମୁସାରଫ ୧୯୯୯ ତାଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲେ।