କାବୁଲ: ଘମାଘୋଟ ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଛାଡ଼ୁଛି ଆମେରିକା । ଆମେରିକା ତାର ସେନା ଓ ନାଗରିକଙ୍କୁ ଆଜି ରାତିସୁଦ୍ଧା ଆଫଗାନିସ୍ତାନରୁ ଉଦ୍ଧାର କରିବାକୁ ଯୋଜନା ରଖିଛି । ତେବେ କାବୁଲରେ ଆତ୍ମଘାତି ବିସ୍ଫୋରଣ ପରେ ପରିସ୍ଥିତି ବେଶ ସଂଗୀନ ହୋଇପଡ଼ିଛି । ଆତ୍ମଘାତି ବିସ୍ଫୋରଣରେ ଶହୀଦ ହୋଇଥିବା ଆମେରିକା ସେନାଙ୍କ ବଦଲା ନେଇଛି ଆମେରିକା । ତେବେ ରକେଟ ମାଡ଼ କରି ଆତ୍ମଘାତି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ନିହତ କରିଥିବା ନେଇ ଆମେରିକା ସୂଚନା ଦେଇଛି ।
ତେବେ ସୋମବାର ସକାଳୁ ଆମେରିକା ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ କାବୁଲରେ ଫିଲିସ୍ତାନ-ଇଜ୍ରାଏଲ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ସୋମବାର ସକାଳେ କାବୁଲର ହମିଦ କରଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି । ବିମାନବନ୍ଦରକୁ ଟାର୍ଗେଟ କରି ଆମେରିକା ରକେଟ ମାଡ଼ କରିଥିଲା । କିନ୍ତୁ ଏୟାର ଫିଳ୍ଟ ଡିଫେନ୍ସ ସିଷ୍ଟମ ବଳରେ ତାହାକୁ ନଷ୍ଟ କରିଦିଆଯାଇଥିଲା । କୁହାଯାଉଛି ୫ଟି ରକେଟ ମାଡ଼ କରାଯିବାର ଯୋଜନା କରାଯାଇଥିଲା କିନ୍ତୁ ଏୟାର ଫିଲ୍ଡ ଡିଫେନ୍ସ ଦ୍ବାରା ତାହାକୁ ନଷ୍ଟ କରିଦିଆଯାଇଥିଲା । ତେବେ ଏକ କାର ଯୋଗେ ଏହି ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିବା ନେଇ ଜଣାପଡ଼ିଛି ।
ଏହା ପୂର୍ବରୁ ରବିବାର ଆମେରିକା ଆକ୍ରମଣ କରିଥିଲା । ରବିବାର ଓ ସୋମବାର ତାଲିବାନ ଓ ଆମେରିକା ସେନା ପକ୍ଷରୁ କେବଳ ରକେଟ ମାଡ଼ କରାଯାଇଥିଲା । ପରସ୍ପରଙ୍କ ଉପରେ ଏହି ରକେଟ ମାଡ଼ କରାଯାଇଥିଲା। ରକେଟ ମାଡ଼ରେ କାବୁଲ ଆକାଶ ଧୁଆଁରେ ଆଚ୍ଛାଦିତ ହୋଇ ଯାଇଥିଲା । ଏନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି କେବଳ ରକେଟ ମାଡ଼ ନୁହେଁ, ଗୁଳିଗୋଳାର ଶବ୍ଦ ମଧ୍ୟ ପୁରା ସହରରେ ଶୁଣିବାକୁ ମିଳିଛି । ତେବେ କାବୁଲ ଉପରେ କିଏ ଆକ୍ରମଣ କରିଛି ସେ ନେଇ ସେ କିଛି ସ୍ପଷ୍ଟ ସୂଚନା ଦେଇ ପାରିନଥିବା ଜଣାପଡ଼ିଛି ।