ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ଜଳସମ୍ପଦ ମନ୍ତ୍ରୀଙ୍କ ଗୃହ ଜିଲ୍ଲା ଜଗତସିଂହପୁରକୁ ଆସନ୍ତା ରବି ଋତୁରେ କେନାଲ ଜଳଯୋଗାଣ ବନ୍ଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜଗତସିଂହପୁରକୁ ଜଳସେଚନ ସୁବିଧା ଯୋଗାଉଥିବା ଉଭୟ ତାଳଦଣ୍ଡା କେନାଲ ଓ ମାଛଗାଁ କେନାଲରେ ଜଳ ଯୋଗାଣ ନଭେମ୍ବର ୧୫ତାରିଖରୁ ବନ୍ଦ କରାଯାଇଛି। ଉଭୟ କେନାଲ ଉପରେ ନିର୍ଭରଶୀଳ ଥିବା ଲକ୍ଷ ଲକ୍ଷ ଚାଷୀ କରୋନା ଯୋଗୁ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ରହିଥିବାବେଳେ ଜଳଯୋଗାଣ ବନ୍ଦ ନିଷ୍ପତ୍ତି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଜଳଯୋଗାଣ ବନ୍ଦ ଯୋଗୁ ଆସନ୍ତା ରବି ଚାଷ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେବ ନାହିଁ।
ମିଳିଥିବା ସୂଚନା ଅନୁସାରେ, କଟକର ଯୋବ୍ରାଠାରୁ ତାଳଦଣ୍ଡା ମୁଖ୍ୟ କେନାଲରେ ଜଳଯୋଗାଣ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ବିରିବାଟୀରୁ ଜଳଯୋଗାଣ ହେଉଥିବା ମାଛଗାଁ କେନାଲରେ ଜଳଯୋଗାଣ କରିବା ସମ୍ଭବପର ହେବନାହିଁ। କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ତାଳଦଣ୍ଡା ମୁଖ୍ୟ କେନାଲରେ ଯୋବ୍ରାଠୁ ରାଣୀହାଟ ବ୍ରିଜ୍ ପର୍ଯ୍ୟନ୍ତ ମଧ୍ୟରେ ନିର୍ମାଣ କାର୍ଯ୍ୟ ହେବ। ସେଥିପାଇଁ ତାଳଦଣ୍ଡା କେନାଲରେ ଜଳଯୋଗାଣକୁ ନଭେମ୍ବର ୧୫ରୁ ଆସନ୍ତାବର୍ଷ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ପୂର୍ତ୍ତ ବିଭାଗ ଯୋବ୍ରାଠୁ ରାଣୀହାଟ ମଧ୍ୟରେ ୩ଟି ବ୍ରିଜ୍ ନିର୍ମାଣ କରୁଛି, ଯାହାକି ନଭେମ୍ବର ୧୫ରୁ ଆସନ୍ତାବର୍ଷ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିବ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ତାଳଦଣ୍ଡା ଓ ମାଛଗାଁ କେନାଲରେ ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଯଦି ଆସନ୍ତାବର୍ଷ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଉଭୟ କେନାଲରେ ଜଳଯୋଗାଣ ବନ୍ଦ ରୁହେ ତା’ହେଲେ ଆସନ୍ତା ରବି ଓ ଖରିଫ ଋତୁରେ ଜଗତସିଂହପୁର ଜିଲ୍ଲାରେ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...