ବ୍ରହ୍ମପୁର,(ଓଡ଼ିଶା ୱେୟାର) : ବହୁଚର୍ଚ୍ଚିତ ତପସ୍ୱିନୀ ଓ ସୁମିତଙ୍କ ଦାମ୍ପତ୍ୟ କଳହକୁ ନେଇ ଛନ୍ଦି ହୋଇପଡ଼ିଥିବା ଘଟଣାରେ ଦୁହେଁ ପୁଣି ଏକାଠି ରହିବେ। ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦୁହେଁ ଭଡ଼ାଘର ନେଇ ରହିବେ। ସମସ୍ତ ଖର୍ଚ୍ଚ ଡାକ୍ତର ସୁମିତ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୭ ଦିନ ଧରି ବାହାରେ ଜଗି ରହିଥିବା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି କୋର୍ଟ। ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୁଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ଭେଟିବା ପାଇଁ ଦୁହିଁଙ୍କ ପରିବାରକୁ ଅନୁମତି ମିଳିଛି। ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ୭ ଦିନ ସମୟ ନେଇଥିବା ବେଳେ ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।
ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ।