Latest

ହକି ବିଶ୍ୱକପ୍: ଓଡ଼ିଶା ଜୁନିୟର ଟିମରେ ୩ ଓଡ଼ିଆ

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର): କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ହକି ବିଶ୍ୱକପ୍। ଏହି ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଭାରତୀୟ ଜୁନିୟର ପୁରୁଷ ଟିମର ୧୮ ଜଣିଆ ସ୍କ୍ୱାଡ୍ ଘୋଷଣା କରାଯାଇଛି। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ଟିମର ସଦସ୍ୟ ରହିଥିବା ବିବେକ ସାଗର ପ୍ରସାଦଙ୍କୁ ଜୁନିୟର ଟିମର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଛି।

ଏହି ସ୍କ୍ୱାଡରେ ତିନିଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ତିନି ଖେଳାଳି ହେଲେ ସୁଦୀପ ଚିରମାକୋ, ଅଭିଷେକ ଲାକ୍ରା ଓ ସୁନୀଲ ଜୋଜୋ। ସେହିପରି ୨୦୧୮ରେ ବ୍ୟୁନସ ଆୟର୍ସ ଠାରେ ଅନୁଷ୍ଠିତ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ବିଜେତା ସଞ୍ଜୟଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି।

ଟିମ୍ ଚୟନ ନେଇ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, କୌସସି ବଡ଼ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ପାଇଁ ଦେଶର ଶ୍ରେଷ୍ଠ ୧୮ ଜଣ ଖେଳାଳିଙ୍କୁ ଚୟନ କରିବା ସବୁଠାରୁ କଷ୍ଟକର କାମ। ଟିମରେ ଚୟନ ହୋଇଥିବା ସବୁ ଖେଳାଳି ଗତ ୧୨ରୁ ୧୮ ମାସ ଭିତରେ ଖୁବ୍ ପରିଶ୍ରମ କରିଛନ୍ତି। ଆମେ ମୋଟ ୨୦ ଜଣ ଖେଳାଳିଙ୍କୁ ଚୟନ କରିଛୁ। ସେଥିମଧ୍ୟରୁ ଚୂଡ଼ାନ୍ତ ସ୍କ୍ୱାଡରେ ୧୮ ଜଣ ଏବଂ ୨ ଜଣ ଅତିରିକ୍ତ ଖେଳାଳିଙ୍କୁ ସାମିଲ୍ କରିଛୁ। ଚୟନ ହୋଇଥିବା ଖେଳାଳି ଭଲ ପ୍ରଦର୍ଶନ କରି ଟାଇଟଲ୍ ଡିଫେଣ୍ଡ କରିପାରିବେ ବୋଲି ରିଡ୍ କହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ୍ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି। ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିୟା, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡସ୍ ଓ ଆମେରିକା। ପାଞ୍ଚଦିନିଆ ଫୁଲ୍ ଷ୍ଟେଜ୍ ମ୍ୟାଚ୍ ପରେ ନଭେମ୍ବର ୩୦ ତାରିଖରୁ କ୍ଲାସିଫିକେସନ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଡିସେମ୍ବର ୧ରେ କ୍ୱାର୍ଟରଫାଇନାଲ୍, ସେମିଫାଇନାଲ ମ୍ୟାଚ୍ ଡିସେମ୍ବର ୩ରେ ଏବଂ ଫାଇନାଲ୍ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ।

ଭାରତ ୨୪ ତାରିଖରେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୫ ତାରିଖରେ ଏବଂ ୨୭ରେ ପୋଲାଣ୍ଡକୁ ଭେଟିବ। ଏହା ପୂର୍ବରୁ ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ଜୁନିୟର ବିଶ୍ୱକପରେ ଭାରତ ବିଜେତା ହୋଇଥିଲା। ଭାରତ ପାଖରେ ଟାଇଟଲ୍ ବଜାୟ ରଖିବା ପାଇଁ ଭଲ ସୁଯୋଗ ରହିଛି।

ଭାରତୀୟ ସ୍କ୍ୱାଡ୍: ଶାରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ୍ (ଗୋଲକିପର), ସଞ୍ଜୟ (ଭାଇସ୍ କ୍ୟାପଟେନ), ସୁପୀର ଚିରମାକୋ, ରାହୁଲ କୁମାର ରାଜଭର, ମନିନ୍ଦର ସିଂହ, ପବନ (ଗୋଲ କିପର), ବିଷ୍ଣୁକାନ୍ଦ ସିଂହ, ଅଙ୍କିତ ପାଲ୍, ଉତ୍ତମ ସିଂହ, ସୁନୀଲ ଜୋଜୋ, ମନଜିତ୍, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିବେକ ସାଗର ପ୍ରସାଦ (କ୍ୟାପଟେନ୍), ଅଭିଷେକ ଲାକ୍ରା, ଯଶଦୀପ ସିୱାଚ୍, ଗୁରମୁଖ ସିଂହ, ଆରାଇଜିତ୍ ସିଂହ ହୁନ୍ଦାଲ।

Leave a Reply

Your email address will not be published. Required fields are marked *

Most Popular

Exit mobile version