ରାଜ୍ୟ
ପୁଅ ଗିରଫ, ମନ୍ତ୍ରୀ ପଦ ହରାଇ ପାରନ୍ତି ବଦ୍ରି ପାତ୍ର
ଭୁବନେଶ୍ୱର : ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶୀଷ ପାତ୍ରଙ୍କୁ ମହଙ୍ଗା ପଡ଼ିଛି । ଆଜି ରାତି ସାଢ଼େ ୯ଟା ସମୟରେ ତାଙ୍କୁ ମଙ୍ଗୁଳି ଟୋଲ ଗେଟ୍ ନିକଟରୁ ପୁଲିସ ଗିରଫ କରିଛି । ପୁଅର ଗିରଫ ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ ଚଳିତମାସ ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ ଅଧ୍ୟକ୍ଷ ଦେବାଶୀଷଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଲିସ ୧୭ତାରିଖ ରାତିରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ଗିରଫ କରିଥିଲେ । ତେବେ ଏହି ଖବର ପାଇବା ପରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ନିଜର ୪୦ରୁ ୫୦ଜଣ ସହଯୋଗୀଙ୍କ ସହ ରାମଚନ୍ଦ୍ରପୁର ଥାନାରେ ପଶି କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ବ୍ୟକ୍ତିମାନଙ୍କୁ ଜୋର ଜବରଦସ୍ତ ଛଡ଼ାଇ ଆଣିଥିଲେ । ଏହି ଆକ୍ରମଣରେ ପୁଲିସ ସବଇନ୍ସପେକ୍ଟର ଗଗନ ନାୟକଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିଲାବେଳେ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ ପୁଲିସକୁ ମାଡ଼ ମାରିବା ଘଟଣାକୁ ନେଇ ପୁଲିସ ପ୍ରଶାସନରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଏଥିରେ ତାଳିପକା ଉଦ୍ୟମ କରିଥିଲେ । ଆଜି ନିଜ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କେନ୍ଦୁଝର ଜିଲ୍ଲା ବିଜେଡିର ୩୦ରୁ ୪୦ଜଣ ପ୍ରମୁଖ ନେତାଙ୍କୁ ଡକାଇ ଏକ ବୈଠକ କରିଥିଲେ । ଏହାପରେ ସମସ୍ତେ ନବୀନ ନିବାସ ଯାଇ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ପାଇଁ ତୁରନ୍ତ ଏସପିଙ୍କ ବଦଳି ଦାବି କରିଥିଲେ । ଏପରିକି ସମୂହ ବିଜେଡିରୁ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରିଦେବା ସହ ପୁଲିସ ତା’ ବାଟରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ଏହାପରେ ପୁଲିସ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅଙ୍କୁ ଗିରଫ କରିଥିଲା ।
ପୁଅ ଗିରଫ ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବାର ସମ୍ଭାବନା ଅଧିକ ହୋଇଛି ।