ଭୁବନେଶ୍ୱର(ଓଡବ୍ଲ୍ୟୁ):ପ୍ରାୟ ୮ମାସ ଧରି ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନା ଓ ଆବାହକ ପଦରୁ ଶରତ ରାଉତଙ୍କୁ ଅଚାନକ ହଟାଇ ଦିଆଯାଇଛି।ଏଆଇସିସି ପକ୍ଷରୁ ଏକ ପୂର୍ଣ୍ଣାଙ୍ଗ ଇସ୍ତାହାର କମିଟି ଗଠନ ହୋଇଛି।ଚଳିତମାସରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଏଆଇସିସି ପକ୍ଷରୁ ଏଭଳି ପରିବର୍ତନକୁ ନେଇ ରାଜ୍ୟ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି।ତେବେ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ଇସ୍ତାହାର କମିଟିକୁ ପୁନର୍ଗଠନ କରି ଶ୍ରୀକାନ୍ତ ଓ ଶରତଙ୍କୁ ବାଦ୍ ଦେବା ପଛରେ କ’ଣ କାରଣ ରହିଛି ତାକୁ ନେଇ କଂଗ୍ରେସରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।
ପିସିସି ଇସ୍ତାହାର କମିଟିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି।କମିଟିର ଅନ୍ୟ ସଦସ୍ୟମାନେ ହେଲେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ,ଲିଆକତ ଅଲ୍ଲୀ,ସତ୍ୟପ୍ରକାଶ ନାୟକ,ବିସ୍ମୟ ମହାପାତ୍ର ଓ ନଟବର ଖୁଣ୍ଟିଆ। ଆବାହକ ପଦରେ ବିସ୍ମୟ ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି। ନୂଆ ଇସ୍ତାହାର କମିଟିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି।