ନୂଆଦିଲ୍ଲୀ: କାବୁଲକୁ ତାଲିବାନ ନିଜ ଅଧିନକୁ ନେବା ପରେ ସେଠାରେ ଅପ୍ରିତିକର ପରିସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଫଳରେ ସେଠାରୁ ନିଜ ଜୀବନ ବଞ୍ଚାଇ ନିଜ ନିଜ ଦେଶକୁ ଫେରୁଛନ୍ତି ବିଦେଶୀ । ଏହି କ୍ରମରେ କାବୁଲରୁ ଫସି ରହିଥିବା ଭାରତୀୟଙ୍କୁ ଧରି ଆମେରିକା ସେନାର ଦୁଇଟି ବିମାନ ଭାରତ ଅଭିମୁଖେ ଉଡ଼ାଣ ଭରିଛି । ଗୋଟିଏ ବିମାନ ହିଣ୍ଡନ ଏୟାରବେସରେ ଅବତରଣ କରିଥିବା ବେଳେ ଅନ୍ୟଟି ରାସ୍ତାରେ ଥିବା ଜଣାପଡ଼ିଛି ।
ତେବେ ଆମେରିକା ବାୟୁସେନାର ସି-୧୭ ବିମାନଟି ୧୬୮ ଜଣ ଭାରତୀୟଙ୍କୁ ଧରି ଭାରତରେ ପହଞ୍ଚିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି କି ଅନ୍ୟ ଏକ ବିମାନ ୧୦୭ ଜଣ ନାଗରିକଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଛି । ସେହିପରି ଶନିବାର ୮୭ ଜଣ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀରେ ପହଞ୍ଚିଛି । ତେବେ ମିଳିଥିବା ସୂଚନା ମୁତାବକ ଲଜିଷ୍ଟିକକୁ ନେଇ କିଛି ସମସ୍ୟା ଦେଖା ଦେଇଥିଲା। ଯାହା ପାଇଁ ଉଡ଼ାଣ ଭରିବାରେ ବିମାନକୁ ସମସ୍ୟା ଦେଖା ଦେଇଥିଲା । ସେପଟେ କାବୁଲ ବିମାନ ବନ୍ଦର ବର୍ତ୍ତମାନ ଆମେରିକା ସେନା ଅଧିନରେ ରହିଛି । କାବୁଲରେ ତାଲିବାନୀଙ୍କ ପାଇଁ ମାହୋଲ ଉତ୍ତେଜନା ପୂର୍ଣ୍ଣ ରହିଛି ।
ସେପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୯୦ ଜଣ ଭାରତୀୟଙ୍କୁ ଉଦ୍ଧାର ଆମେରିକା ସେନା । ଏମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଉଛି । ୮୭ ଜଣ ଭାରତୀୟଙ୍କୁ ପ୍ରଥମେ କାବୁଲରୁ ତାଜିକିସ୍ତାନ ଓ ସେଠାରୁ ଦିଲ୍ଲୀ ଅଣାଯାଇଥିବା ଜଣାପଡ଼ିଛି । ସେହିପରି ୧୩୫ ଜଣ ଭାରତୀୟ ନାଗରିକଙ୍କୁ କାବୁଲରୁ କାତାର ନିଆଯାଇଥିଲା। ସେଠାରୁ ଏୟାର ଇଣ୍ଡିଆ ଯୋଗେ ଦିଲ୍ଲୀ ଅଣାଯାଇଥିବା ସୂଚନା ରହିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କାବୁଲରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବାକୁ ଉଦ୍ୟମ ଜାରି ରହିଛି । ଶେଷ ଭାରତୀୟଙ୍କୁ ଦେଶକୁ ଅଣାଯିବା ପର୍ୟ୍ୟନ୍ତ ମନ୍ତ୍ରଣାଳୟ ଉଦ୍ଧାର କାର୍ୟ୍ୟ ଜାରି ରଖିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।