ନୂଆଦିଲ୍ଲୀ : ତାଲିବାନ ହାତରେ ଅଜସ୍ର ମାର୍କିନ୍ ଅସ୍ତ୍ର । ଆମେରିକା ଚାଲିଯିବା ପରେ ମାର୍କିନ୍ ଅସ୍ତ୍ରାଗାରର ମାଲିକାନା ସତ୍ତ୍ବ ଏବେ ତାଲିବାନ ହାତରେ । ଆମେରିକୀୟ ରାଇଫଲ, ହମ୍ବି, ମାଇନ୍ ପ୍ରତିରୋଧକ ଗାଡ଼ି, ଆଉ ପ୍ରଚୁର ଗୋଳବାରୁଦ । କାବୁଲ ରାସ୍ତାରେ ମାର୍କିନ୍ ଅସ୍ତ୍ର ପ୍ରଦର୍ଶନ କରୁଛନ୍ତି ତାଲିବାନ କମାଣ୍ଡୋ । ଫଟୋ ଆଉ ଭିଡିଓ କହୁଛି ଆମେରିକା ଯୋଗାଇଥିବା ଗ୪ ଓ କାର୍ବାଇନ୍ ଓ ଗ୧୬ ରାଇଫଲ ଧରି ବୁଲୁଛନ୍ତି ତାଲିବାନ କମାଣ୍ଡୋ । ଦୀର୍ଘ ୨୦ ବର୍ଷ ଧରି ଆଫଗାନ ସେନାକୁ ଆମେରିକା ଯୋଗାଇଥିବା ଅସ୍ତ୍ରଶସ୍ତ୍ର ଏବେ ତାଲିବାନ ହାତରେ ।
କିଛି ବ୍ଲାକ୍ ହକ୍ ହେଲିକପ୍ଟର ଓ ମିଲିଟାରୀ ଏୟାରକ୍ରାଫ୍ଟର ମାଲିକାନା ବି ତାଲିବାନ ହାତକୁ ଆସିଛି । ତାଲିବାନ ହାତରେ ସଠିକ୍ ଭାବେ କେତେ ଅସ୍ତ୍ରଶସ୍ତ୍ର ଲାଗିଛି ଆମେରିକା ପାଖରେ ତାର ସଠିକ ଉତ୍ତର ନାହିଁ । ତେବେ ୬ ଲକ୍ଷ ଓ୍ଵିପନ୍, ୭୫ ହଜାର ଗାଡ଼ି ଓ ୨୦୦ ଏୟାରକ୍ରାଫ୍ ତାଲିବାନ ସିଜ୍ କରିଥିବା ଜଣାପଡ଼ିଛି ।
୨୦୧୩ ରୁ ୨୦୧୬ ଭିତରେ ଆଫଗାନ ସେନାକୁ ଗ୪ ଓ ଗ୧୬ ଭଳି ୬ଲକ୍ଷ ହାଲୁକା ଅସ୍ତ୍ର ଦେଇଥିଲା ଆମେରିକା । ୬୮୦ ହଜାର ଗାଡ଼ି, ନାଇଟ୍ ଭିଜନ୍ ଗଗଲେସ୍ ଆଉ ରେଡିଓ ଯୋଗାଇଥିଲା । ସେହିପରି ୨୦୧୭ ରୁ ୨୦୧୯ ଭିତରେ ୭ ହଜାର ମେସିନ୍ ଗନ୍, ୪ହଜାର ୭୦୦ ହମ୍ବି ଏବଂ ୨୦ ହଜାର ରୁ ଅଧିକ ଗ୍ରେନେଡ୍ ଦେଇଥିଲା । ପ୍ରଚୁର ଗୁଳିଗୋଳା ବି ଆଫଗାନ ସେନାକୁ ଯୋଗାଇଥିଲା ଆମେରିକା । ଗତ ଦୁଇ ବର୍ଷ ଭିତରେ ଦେଇଥିଲା ୧ କୋଟି ୮୦ ଲକ୍ଷ ରାଉଣ୍ଡ ୮.୬୨ ଏମଏମ୍ ଓ ୫୦ କାଲିବର ଗୁଳି ।
ଏଥିରୁ ଅନେକ ଅସ୍ତ୍ରଶସ୍ତ୍ର ତାଲିବାନ ହାତକୁ ଯାଇଛି । କିଛି ଅସ୍ତ୍ରକୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ନଷ୍ଟ କରି ଦେଇଥିଲେ ବି ତାହା ଯଥେଷ୍ଟ କମ୍ । ଫେବ୍ରୁଆରୀ ୨୦୨୦ରେ ଟ୍ରମ୍ପ ପ୍ରଶାସନର ଦୋହା ରାଜିନାମା ପରେ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ଓ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ଆମେରିକା। ମାର୍କିନ୍ ସେନା ବି ଆଫଗାନରୁ ଫେରିବା ଆରମ୍ଭ କରିଥିଲେ । ୮ ହଜାର ୫୦୦ ରୁ ୨ହଜାର ୫୦୦କୁ ହ୍ରାସ ପାଇଥିଲା ସୈନ୍ୟ ସଂଖ୍ୟା। କିନ୍ତୁ ଖୁବ୍ ଧିମା ଥିଲା ଏହି ପ୍ରକ୍ରିୟା ।
ସବୁ ଅସ୍ତ୍ରକୁ ନଷ୍ଟ କରିବା ପାଇଁ ଆମେରିକାର ଯୋଜନା ବି ନଥିଲା । କାରଣ ଆଫଗାନ ସେନା ଏହି ଅସ୍ତ୍ରଶସ୍ତ୍ରରେ ଲଢ଼େଇ କରିବ ବୋଲି ଆମେରିକା ଭାବିଥିଲା । ଆମେରିକା ଏବେ ଅସ୍ତ୍ରଶସ୍ତ୍ର କଥା ଭାବିବା ଛାଡ଼ି ନିଜ ଦେଶର ନାଗରିକଙ୍କ ସୁରକ୍ଷିତ ଉଦ୍ଧାରକୁ ଗୁରୁତ୍ୱ ଦେଉଛି ।