ରାଜ୍ୟ

ବଜାରରେ ଆଳୁ ଅଭାବ, ଦର ଲଗାମଛଡ଼ା

Posted on

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର ଆକାଶଛୁଆଁ ହେବାରେ ଲାଗିଛି । ଆଳୁ ଖୁଚୁରା ଦର କିଲୋପିଛା ୧୮ରୁ ୨୦ଟଙ୍କାରେ ଏବେ ବିକ୍ରି ହେଉଛି । କିନ୍ତୁ ଏହି ଦରକୁ ନିୟନ୍ତ୍ରଣ କରିବା ଓ ଆଳୁର ଚାହିଦା ମେଣ୍ଟାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସପ୍ତାହକ ଭିତରେ ଆଳୁ ଦର କିଲୋ ପିଛା ୪ଟଙ୍କା ବଢ଼ିଥିବାବେଳେ ରାଜ୍ୟ କୃଷି ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଖାଉଟିଙ୍କ ଚିନ୍ତାରେ ପକାଇଛି । ଆଗକୁ ଆଳୁ ଦର ଅଧିକ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।
ରାଜ୍ୟରେ ଆଳୁ ଦର କିଲୋପିଛା ୩୦ଟଙ୍କାରେ ପହଞ୍ôଚବ ବୋଲି ଗତ ମାସରେ ଭବିଷ୍ୟବାଣୀ କରିଥିବା ଖାଦ୍ୟଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, “ ଓଡ଼ିଶାରେ ଏବେ ଯେତିକି ଆଳୁ ଉତ୍ପାଦନ ହେଉଛି ତା’ଠୁ ୭ଗୁଣ ଅଧିକ ଆଳୁ ରାଜ୍ୟର ଖାଉଟିଙ୍କ ପାଇଁ ଆବଶ୍ୟକ ପଡ଼ୁଛି । ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ଫେଲ୍ ମାରିଛି । ତେଣୁ ଚାହିଦା ଓ ଯୋଗାଣରେ ରହିଥିବା ପାର୍ଥକ୍ୟ ପାଇଁ ଆଳୁ ଦର ବଢ଼ିବା ସ୍ୱାଭାବିକ । ରାଜ୍ୟ ସରକାର ଆଳୁ ଓ ପିଆଜକୁ କଣ୍ଟ୍ରୋଲ ଅର୍ଡର ପରିସରଭୁକ୍ତ କରିଛନ୍ତି ଯାହାକି ୨୦୧୯ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେଣୁ ବଜାରଠାରୁ ଅଧିକ ଦରରେ ଆଳୁ ବିକ୍ରି ଓ କଳାବଜାରୀ ମହଜୁଦକାରୀଙ୍କ ଉପରେ କଣ୍ଟ୍ରୋଲ ଅର୍ଡର ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ” ତେବେ ଓଡ଼ିଶା ବଜାରର ଆବଶ୍ୟକତା ମେଣ୍ଟାଇବା ପାଇଁ ଆଳୁ କେଉଁଠୁ ଆମଦାନୀ କରାଯିବ ସେନେଇ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ନିରବ ରହିଛନ୍ତି । ସେହିପରି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, “ରାଜ୍ୟରେ ଏବେ ବାର୍ଷିକ ୧୨.୩୫ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ରହିଛି । ଓଡ଼ିଶାରେ ୩ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହେଉଛି । ୯ଲକ୍ଷ ମେଟ୍ରିକ ଟନ୍ ଆଳୁକୁ ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ଅଞ୍ଚଳରୁ ଅଣାଯାଇ ଓଡ଼ିଶାର ଆବଶ୍ୟକତା ପୂରଣ କରାଯାଏ । ୨୦୧୩ ମସିହାରେ ଆଳୁ ମିଶନ ହୋଇଥିଲା । ଆଳୁ ଚାଷୀଙ୍କୁ ହେକ୍ଟର ପିଛା ୧୬ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଇଥିଲା । ଏହା ଦ୍ୱାରା ଆଳୁ ଉତ୍ପାଦନ ଓ ସଂରକ୍ଷିତ କରି ରଖିବା ପାଇଁ ଗୋଦାମ ମଧ୍ୟ ନିର୍ମାଣ ହୋଇଛି । ସେହିବର୍ଷ ଆଳୁ ଉତ୍ପାଦନ ଭଲ ହୋଇଥିଲା । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବମ୍ଫର ଆଳୁ ଉତ୍ପାଦନ ହେବାରୁ ବଜାର ଦର କମ୍ ରହିଲା । ଚାଷୀ ଗୋଟିଏ ବର୍ଷ ଦରରେ ମାଡ଼ ଖାଇଲେ ଆଉ ୨ବର୍ଷ ଚାଷ କରେନି । ତେଣୁ ସରକାରଙ୍କ ପ୍ରୋତ୍ସାହନ ସତ୍ତେ୍ୱ ଆଳୁ ଚାଷ କରିବାକୁ ଏବର୍ଷ ଚାଷୀ ଆଗ୍ରହ ଦେଖାଇନି ।”
ଅନ୍ୟପକ୍ଷରେ ଛତ୍ରବଜାର ବ୍ୟବସାୟୀ ମହାସଂଘର ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ବଜାରରେ ଆଳୁ ଦର ବୃଦ୍ଧି ପାଇଥିବା ଯାହା କୁହାଯାଉଛି ତାହା ସ୍ୱାଭାବିକ ପ୍ରକ୍ରିୟାରେ ବୃଦ୍ଧି ପାଇଛି । ଆମଦାନୀ ହେଉଥିବା ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ପାଇବା ହେତୁ ଓଡ଼ିଶାରେ ଦର ବୃଦ୍ଧି ହୋଇଛି । ପୂର୍ବରୁ ଚାଷୀମାନଙ୍କ ଠାରୁ ନୂଆ ଆଳୁ ଆମଦାନୀ ହେଉଥିଲା । ତେବେ ବର୍ତ୍ତମାନ ଷ୍ଟୋର ଆଳୁ ଆସିବ । ତେବେ ଷ୍ଟୋର ଆଳୁ ପାଇଁ ବିଭିନ୍ନ ଖର୍ଚ୍ଚ ଅଧିକ ଥିବାରୁ ୨ଟଙ୍କା ମୂଲ୍ୟ ଅଧିକ ରହିବ । କଟକ ଛତ୍ରବଜାରରେ ପ୍ରତିଦିନ ୮ଟ୍ରକ (୧୨୮ଟନ୍) ଆଳୁ ଆସୁଥିବାବେଳେ ସମ୍ପ୍ରତି ପ୍ରାୟ ୪ଟ୍ରକ (୬୪ଟନ୍) ଆଳୁ ଆମଦାନୀ ହେଉଛି । ଫଳରେ ଚାହିଦା ମୁତାବକ ଆଳୁ ଆସୁନଥିବାରୁ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାକୁ ଆସୁଥିବା ଆଳୁ, ଚାଷୀମାନଙ୍କ ଠାରୁ ଆମଦାନୀ ହେଉଥିଲା । ଫଳରେ ଆଳୁ ଦର କମ୍ ରହିଥିଲା । ବର୍ତ୍ତମାନ ଚାଷୀମାନଙ୍କ ନିକଟରେ ଆଳୁ ସରି ଆସିଲାଣି । ପଶ୍ଚିମବଙ୍ଗରେ ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଶୀତଳ ଭଣ୍ଡାର ଷ୍ଟୋର ରହିଥିବାବେଳେ ସେଥିମଧ୍ୟରୁ ୧୦-୧୨ଟି ଆଳୁ ଷ୍ଟୋରକୁ ଛାଡ଼ିଦେଲେ ଅନ୍ୟଷ୍ଟୋର ଗୁଡ଼ିକ ଖୋଲାଯାଇ ନାହିଁ । ତେଣୁ ଆଳୁ ଦର ବଢ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version