Latest

ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ

Posted on

ଆଜି ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ । ୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସେହି ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଏଥିସହିତ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଏହି ଧର୍ମଘଟ ଡାକରା ଦେଇଥିବା ବେଳେ ବିଭିନ୍ନ ସଂଗଠନ ଏଥିରେ ସହଯୋଗ କରୁଛନ୍ତି। ଘରୋଇ ବସ୍ ମାଲିକ ସଂଘ, ଲରି ଆସୋସିଏସନ୍, ଡ୍ରାଇଭର୍ସ ଆସୋସିଏସନ୍, ଜିଲ୍ଲା ବାର୍ ଆସୋସିଏସନ୍ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଏବେ ପାର୍ବଣ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ଚାଲିଛି ।

ତେବେ ବନ୍ଦ ଡାକରା ସତ୍ତ୍ୱେ ବିକ୍ଷୋଭକାରୀମାନେ ଛାତ୍ରଛାତ୍ରୀଙ୍କୁ ଓ ପର୍ବ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅନୁମତି ଦେବେ ବୋଲି ସୂଚନା ମିଳିଛି। ଏଥିସହ ସ୍ବତନ୍ତ୍ର ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବ ନାହିଁ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ୟ ଜିଲ୍ଲାରୁ ଅନେକ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯାଉଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ତେବେ ଅଳ୍ପ ସମୟ କାମ କରିବା ପରେ ସେମାନଙ୍କୁ ସେମାନଙ୍କ ସ୍ଥାନକୁ ବଦଳି କରାଯାଉଛି ଏବଂ ଏହି ୪ଟି ଜିଲ୍ଲାର ଲୋକମାନେ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version