Latest
ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ
ନ୍ୟୁଜିଲାଣ୍ଡଠୁ ନେଲା ୨୫ବର୍ଷର ପ୍ରତିଶୋଧ
ରୋହିତ ଶର୍ମା ‘ମ୍ୟାନ ଅଫ ଦି ମ୍ୟାଚ’
ଦୁବାଇ: ଆଜି ଦୁବାଇ ଇଂଟରନ୍ୟାସନାଲ ଷ୍ଟାଡ଼ିୟମରେ ଏକ ରୋଚକପୂର୍ଣ୍ଣ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଟିମଇଣ୍ଡିଆ ଦୀର୍ଘ ୧୨ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଏହାସହିତ ନ୍ୟୁଜିଲାଣ୍ଡଠୁ ୨୫ବର୍ଷ ପୁରୁଣା ପ୍ରତିଶୋଧ ମଧ୍ୟ ନେଇଛି । ୨୦୦୨ ଓ ୨୦୧୩ ମସିହା ପରେ ଚଳିତବର୍ଷ ଚାମ୍ପିଅନ୍ସ ଟ୍ରଫିକୁ ଭାରତ ଜିତି ସବୁଠୁ ଅଧିକ ଥର ଚାମ୍ପିଅନ୍ସଟ୍ରଫି ଜିତିଥିବା ଟିମ୍ ପାଲଟିଛି । କ୍ୟାପଟେନ୍ ରୋହିତ ଶର୍ମା ନିଜର ଶାନଦାର ୭୬ ରନ୍ ପାଇଁ ‘ମ୍ୟାନ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।
ଆଜି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଭାରତ ଆଗରେ ଜିତିବା ପାଇଁ ୨୫୨ ରନ୍ ଟାର୍ଗେଟ୍ ରଖିଥିଲା । ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ୬୩ରନ୍ ଓ ବ୍ରେସବେଲ ୫୩ ରନ୍ ସହାୟତାରେ ଦଳ ୨୫୧ ରନ୍ ଲକ୍ଷ୍ୟ ଭାରତ ଆଗରେ ରଖିଥିଲା । ତେବେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ୭୬ ରନ୍ ଓ ଶ୍ରେୟସ, ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଯୋଡ଼ି ଭାରତକୁ ଏହି ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟିମ୍ ଇଣ୍ଡିଆ ଆଜି ପ୍ରଥମେ ବୋଲିଂ କରିଥିଲା ଏବଂ ସ୍ପିନର କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ କମାଲ ବୋଲିଂ ଓ ୨ଟି ଲେଖାଏଁ ୱିକେଟ୍ ନେବା ଯୋଗୁ ନ୍ୟୁଜିଲାଣ୍ଡ ଟିମର ଟପ୍ ଅର୍ଡର ବ୍ୟାଟସମ୍ୟାନମାନେ ଶୀଘ୍ର ପାଭିଲିଅନ ଫେରିବାକୁ ବାଧ୍ୟ ହୋଇଥିଲେ । ନ୍ୟୁଜିଲାଣ୍ଡ ଟିମକୁ ୨୫୧ ରନରେ ସୀମିତ ହେବାକୁ ପଡ଼ିଥିଲା ।
ବ୍ୟାଟସମ୍ୟାନ୍ ବିରାଟ କୋହଲୀ ଆଜି ମାତ୍ର ୧ରନ୍ କରି ଆଉଟ ହୋଇଥିବାବେଳେ ଶ୍ରେୟସ ଅୟର ୪୮, ଅକ୍ଷର ପଟେଲ ୨୯, କେଏଲ ରାହୁଲ ଅପରାଜିତ ୩୩ ରନ ଓ ହାର୍ଦ୍ଧିକ ପାଣ୍ଡ୍ୟା ୧୮ ରନ୍ କରି ଚାମ୍ପିଅନ୍ସ ଟ୍ରଫି ବିଜେତା ହେବାର ମାର୍ଗକୁ ପ୍ରଶସ୍ତ କରିଥିଲେ । ୪୯ ଓଭରର ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ଏକ ଚୌକା ମାରି ଟିମଇଣ୍ଡିଆକୁ ବିଜୟୀ କରାଇଥିଲେ ।
ଆଜି ଏହି ଚାମ୍ପିଅନ୍ସ ଟ୍ରଫି ବିଜୟ ସହ କ୍ୟାପଟେନ୍ ରୋହିତ ଶର୍ମା ମଧ୍ୟ ଏକ ରେକର୍ଡ କରିଛନ୍ତି । ସେ ଦୁଇ ଦୁଇଥର ଆଇସିସି ଟ୍ରଫି ଜିତିଥିବା ଭାରତର ଦ୍ୱିତୀୟ କ୍ୟାପଟେନ୍ ପାଲଟିଛନ୍ତି । ତାଙ୍କର ନେତୃତ୍ୱରେ ଗତବର୍ଷ ଟିମଇଣ୍ଡିଆ ଟି-୨୦ ବିଶ୍ୱକପ୍-୨୦୨୪ ଟ୍ରଫି ଆଣିଥିଲା । ରୋହିତଙ୍କ ପୂର୍ବରୁ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଭାରତକୁ ଏକାଧିକ ଆଇସିସି ଟ୍ରଫି ଦେବାରେ ସଫଳ ହୋଇଥିଲେ ।
ସୂଚନାଯୋଗ୍ୟ, ୨୦୦୦ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଚଳିତଥର ଟିମଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତି ନିଜର ପ୍ରତିଶୋଧ ନେଇଛି ।