Latest

ଆସନ୍ତାକାଲିଠୁ ଆନ୍ଦୋଳନକୁ ଓହ୍ଲାଇବେ ନର୍ସ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚାକିରିଜନିତ ସର୍ତ୍ତାବଳୀ ଓ ଅସଙ୍ଗତିକୁ ଦୂର ଦାବିରେ ରାଜ୍ୟର ନର୍ସମାନେ ଆସନ୍ତାକାଲିଠୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ନିଖିଳ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ନର୍ସମାନେ ଚାକିରିଜନିତ ଅନେକ ଅସଙ୍ଗତି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏହାର ପ୍ରତିବାଦରେ ଆସନ୍ତାକାଲିଠୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନର୍ସମାନେ କଳାବ୍ୟାଜ୍ ପରିଧାନ କରିବେ । ସେହିପରି ଆସନ୍ତା ଜାନୁୟାରୀ ୨ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରୋଗୀ ସେବାରେ ଅବହେଳା ନକରି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦସ୍ୱରୂପ ପ୍ରତୀକ ଅନଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏସବୁ ସତ୍ତ୍ୱେ ଯଦି ସରକାର ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ନନେବେ ତା’ହେଲେ ବାଧ୍ୟ ହୋଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ମୂଳଦରମାର ସଂଶୋଧନଠୁ ଆରମ୍ଭ କରି ଠିକା ନିଯୁକ୍ତିକୁ ମିଶାଇ ୧୦ବର୍ଷର ଏମଏସପି ପ୍ରଦାନ, ନର୍ସିଂ ସ୍କିମରେ ଚାକିରି କରୁଥିବା ଆରବିଏସକେ ଷ୍ଟାଫନର୍ସମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ, ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଠିକାଦାର ଭାବେ ନିଯୁକ୍ତି ପାଉଥିବା ନର୍ସମାନଙ୍କୁ ଏଣିକି ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ନର୍ସମାନେ ପ୍ରତିବାଦ କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ପ୍ରତିଭା ସାମନ୍ତରାୟଙ୍କ ସମେତ ଲକ୍ଷ୍ମୀପ୍ରିୟା ଜେନା, ମାଳତୀ ତ୍ରିପାଠୀ, ଶିବାନୀ ଦାସ, ପ୍ରେମଲତା ମିଶ୍ର, ଅଶ୍ୱିନୀ ଦାସ, ଏସସିବି ମେଡିକାଲ, ବ୍ରହ୍ମପୁର ମେଡିକାଲ, ବୁର୍ଲା ମେଡିକାଲ ଓ କଟକ ଶିଶୁଭବନର ନର୍ସମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version