Latest
ଓଡ଼ିଶାରେ ସୁନା ଖଣିର ମିଳିଛି ସନ୍ଧାନ
ଓଡ଼ିଶା ବିଧାନସଭାର ତୃତୀୟ ଦିନରେ ଗୃହରେ ରାଜ୍ୟର କେଉଁ କେଉଁ ଜିଲ୍ଲାରେ କେତୋଟି ଲେଖାଏଁ ସୁନାଖଣି ଚିହ୍ନଟ କରାଯାଇଛି । ଏହି ସବୁ ଖଣି ଗୁଡିକର ବର୍ତ୍ତମାନ ସ୍ଥିତି କଣ ? ଉକ୍ତ ସୁନା ଖଣିଗୁଡିକ ଉତ୍ତୋଳନ କରି ରାଜ୍ୟ ସରକାର ନିଜେ ଏକ ପ୍ରସେସିଂ ୟୁନିଟ୍ ଖୋଲିବାକୁ ପଦକ୍ଷେପ ଗ୍ରହଣ କରିବେ କି? ତାରା ବାହିନୀପତିଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ମିଳିଲା ସୁନାପଥର ସନ୍ଧାନ । ଏହି ଅଞ୍ଚଳରେ ସୁନା ଗଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି । ଜିଏସ୍ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଛି ସୁନା ସନ୍ଧାନ । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ।୧୯୮୧-୮୩ ଏବଂ ୧୯୮୯-୯୬ରେ ଚିହ୍ନିତ କରାଯାଇଥିବା କେଉଁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଏବଂ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଜି-୨ ସ୍ତରରେ ୨୦୨୧- ୨୦୨୨ ରୁ ଚାଲୁରହିଛି।
ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀ ସ୍ତରରେ ବର୍ତ୍ତମାନ କୌଣସି ଯୋଜନା ନାହିଁ ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ଓଡିଶା ଖଣି ନିଗମ (OMC) ଦ୍ବାରା ଜି- ୪/ଜି-୩ ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ ଅଞ୍ଚଳରେ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ (DoMG) ଏବଂ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ (GSI) ସଂସ୍ଥା ଦ୍ବାରା ସୁନାଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି।ଏତଦ୍ ବ୍ୟତୀତ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ରହିଛି, ଯାହାର ସବିଶେଷ ଅନୁସନ୍ଧାନ କରାଯାଇନାହିଁ।ସୁନା ଖଣିଗୁଡିକ ଉତ୍ତୋଳନ କରି ଏକ ପ୍ରସେସିଂ ୟୁନିଟ୍ ଖୋଲିବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ।