ରାଜନୀତି

ଓଡ଼ିଶାରେ ତଳିତଳାନ୍ତ ହେଉଛି କଂଗ୍ରେସ!

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ପୁଣିଥରେ ବିରୋଧୀ ଦଳ ଭୂମିକାରେ ରହିବ ଓ ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତିରେ ସେଭଳି ଆଖିଦୃଶିଆ ସୁଧାର ଆସିବ ନାହିଁ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଆକଳନ କରିଛନ୍ତି। କଂଗ୍ରେସକୁ ଓଡ଼ିଶାରେ ଅତିବେଶୀରେ ଗୋଟିଏ ଲୋକସଭା ଓ ୧୦ରୁ ୧୫ ବିଧାନସଭା ଆସନରେ ସଫଳତା ମିଳିବ ବୋଲି ଏକଜିଟ୍ ପୋଲ ରିପୋର୍ଟରେ ଆକଳନ ହୋଇଛି। ଯାହାକି କଂଗ୍ରେସ ସଂଗଠନକୁ ପୁଣିଥରେ ବିପର୍ଯ୍ୟସ୍ତ ସ୍ଥିତି ଆଡ଼କୁ ନେଇଯିବ ବୋଲି ରାଜନୀତିକ ବିଶ୍ଲେଷକମାନେ ଆଶଙ୍କା ବ୍ୟକ୍ତ କଲେଣି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ କ୍ଷମତାବିରୋଧୀ ହାୱା, ରାଜ୍ୟରେ ବାବୁଗିରି ଶାସନକୁ ନେଇ ପରିବର୍ତ୍ତନର ମାନସିକତା ଓ ବିଜେପିର କଠୋରବାଦୀ ଚିନ୍ତାଧାରାରୁ ଯେଉଁ ଫାଇଦା କଂଗ୍ରେସ ନେବା କଥା ତାହା ସମ୍ଭବପର ହେବାଭଳି ଲାଗୁନି। କଂଗ୍ରେସ ମଧ୍ୟ ନିଜର ଆକର୍ଷଣୀୟ ନିର୍ବାଚନୀ ଘୋଷଣାପତ୍ରରୁ ଫାଇଦା ଉଠାଇ ପାରିନି କି ସଂଗଠିତ ହୋଇ ସାଧାରଣ ଭୋଟରଙ୍କ ନିକଟରେ ତାହା ପହଞ୍ଚାଇ ପାରିନି। ତା’ଛଡ଼ା ନିର୍ବାଚନର ଠିକ ପୂର୍ବରୁ ଜଣେ ପରେ ଜଣେ ବିଧାୟକ ଅନ୍ୟ ଦଳକୁ ଡ଼ିଆଁ ମାରିବା ଓ କିଛି ନେତା ଟିକେଟ୍ ଫେରସ୍ତ କରିବା ଖୋଲାଖୋଲି ଭାବେ ସାଧାରଣ ଭୋଟରଙ୍କୁ ଦଳ ପ୍ରତି ଆସ୍ଥା ହରାଇବାକୁ ବାଧ୍ୟ କରିଥିଲା। ଏପରିକି ଦଳ ପ୍ରତି ଲୋକଙ୍କ ମନରେ ବୃଦ୍ଧି ପାଉଥିବା ଅବିଶ୍ୱାସର ବାତାବରଣକୁ ସୁଧାରିବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ୱ କିମ୍ବା ରାଜ୍ୟ ନେତୃତ୍ୱ କୌଣସି ପଦକ୍ଷେପ ମଧ୍ୟ ନେଇନଥିଲେ। ପିସିସି ମୁଖିଆ ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକ ନେବାପରେ ଅତିକମରେ ୬ମାସ ପୂର୍ବରୁ ଦଳୀୟ ଟିକେଟ୍ ଚୂଡ଼ାନ୍ତ ହେବ ବୋଲି ଘୋଷଣା କରିଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲର ୪୮ଘଣ୍ଟା ପୂର୍ବରୁ ବି ଟିକେଟ୍ ଚୂଡ଼ାନ୍ତ ହୋଇପାରିନଥିଲା। ଆଉ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ନିର୍ବାଚନ ସମୟରେ ଓଡ଼ିଶା ପ୍ରତି ବିଶେଷ ଦୃଷ୍ଟି ନଦେବା ଏବଂ କେନ୍ଦ୍ରୀୟ ନେତାମାନେ ପ୍ରଚାରକୁ ନଆସିବା ମଧ୍ୟ ଦଳ ପ୍ରତି ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଅଧିକ ଜୀବନ୍ତ କରାଇଲା। ନିର୍ବାଚନ ପୂର୍ବରୁ ଦଳ ରାଜ୍ୟରେ ଯେଉଁ ଜୋସ୍ ଓ ରଣନୀତି ଆଧାରରେ ନିଜକୁ ସଂଗଠିତ କରୁଥିଲା, ନିର୍ବାଚନ ପାଖେଇ ଆସିବାବେଳକୁ ସେଥିରେ ବ୍ରେକ୍ ଲାଗିଲା। ଏହାରି ସୁଯୋଗରେ ବହୁଧା ଭାଗରେ ବିଭକ୍ତ ହୋଇଥିବା ରାଜ୍ୟ କଂଗ୍ରେସର ନେତାମାନେ ନିଜ ନିଜର ସ୍ୱାର୍ଥ ଲାଭ ଆଶାରେ ଦଳୀୟ ଟିକେଟକୁ ବାଣ୍ଟିକୁଣ୍ଟି ନେଇଯାଇଥିଲେ। ବିଜେଡିର ବି-ଗ୍ରୁପ୍ ଭାବେ କଂଗ୍ରେସ ରାଜ୍ୟରେ ନିର୍ବାଚନ ଲଢ଼ୁଛି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲା। ଏସବୁ କାରଣ ଯୋଗୁ ଦଳ ତୃଣମୂଳସ୍ତରରେ ଥିବା ନିଜର ଭୋଟବ୍ୟାଙ୍କ ଓ ପୁରୁଣା ସଂଗଠନ ମଧ୍ୟରେ ଉତ୍ସାହ ସୃଷ୍ଟି କରିପାରେ ସକ୍ଷମ ହୋଇପାରିନଥିଲା।

ଏକଜିଟ୍ ପୋଲ ରିପୋର୍ଟ ଓ କଂଗ୍ରେସର ସମ୍ଭାବ୍ୟ ନିରାଶାଜନକ ପ୍ରଦର୍ଶନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଯେ “ କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ଦାୟୀ। ବିଧାନସଭାରେ ୨୦ରୁ ୩୦ଟି ଆସନ ପାଇବୁ ବୋଲି ଆକଳନ କରିଥିଲୁ। ତେବେ ଆସିଥିବା ଏକଜିଟ୍ ପୋଲ ବିଶ୍ୱାସଯୋଗ୍ୟ ନୁହେଁ। ସେ ଘଷିପୁରାରୁ ଜିତିବାର ସମ୍ଭାବନା କ୍ଷୀଣ କିନ୍ତୁ ଭଣ୍ଡାରୀପୋଖରୀରେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।”

ତେଣୁ କଂଗ୍ରେସ ନିଜ କଲାକର୍ମ ଓ ଅପାରଗତାରୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପରିବର୍ତ୍ତେ ତୃତୀୟ ସ୍ଥାନରେ ରହିବାକୁ ବାଧ୍ୟ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଦଳ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ଥିତିକୁ ଖସିଥିଲେ ମଧ୍ୟ ଏଥିରୁ କୌଣସି ଶିକ୍ଷା ଲାଭ କରିପାରିଲାନି। ଯାହାର ଫଳ ଦଳକୁ ଆଗାମୀ ଦିନରେ ବେଶ୍ ମହଙ୍ଗା ପଡ଼ିବ ତଥା ଓଡ଼ିଶାରୁ ସମ୍ପୂର୍ଣ୍ଣ ମୂଳପୋଛ ହେବାକୁ ମଧ୍ୟ ବେଶୀଦିନ ସମୟ ଲାଗିବ ନାହିଁ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version